Categories: ଜାତୀୟ

ଯୋଗୀ ସରକାରଙ୍କ ସମୟରେ ରାଜ୍ୟରେ ୨୦ ସାଧୁ-ସନ୍ଥଙ୍କ ହତ୍ୟା: କଂଗ୍ରେସ

ଲକ୍ଷ୍ନୌ, ୧୧।୧୦: ଉତ୍ତରପ୍ରଦେଶର ଗୋଣ୍ଡାରେ ରାମ ଜାନକୀ ମନ୍ଦିର ପୂଜାରୀ ସମ୍ରାଟ ଦାସଙ୍କୁ ଗୁଳି ମାଡ଼ ହେବା ଘଟଣାରେ ବିରୋଧୀ ଦଳଙ୍କ ପକ୍ଷରୁ ଶାସକ ଭାଜପାକୁ ଘେରିବା ଆରମ୍ଭ ହୋଇଛି। ସମ୍ରାଟଙ୍କୁ ଜମିମାଫିଆ ଗୁଳି କରିଥିବା କୁହାଯାଉଛି। କଂଗ୍ରେସର ରାଜ୍ୟ ଅଧ୍ୟକ୍ଷ ଅଜୟ କୁମାର ଲାଲ୍ଲୁ ଏନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ୍‌ କହିଛନ୍ତି। ଯୋଗୀଙ୍କ ଶାସନର ୨ବର୍ଷ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ୨୦ ସାଧୁ-ସନ୍ଥଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ସେ ସାଧୁ-ସନ୍ଥଙ୍କ ତାଲିକା ସମ୍ପର୍କରେ ମଧ୍ୟ ସରକାରଙ୍କୁ ସୂଚନା ଦେଇଛନ୍ତି। ଜମି ମାଫିଆ ଏବଂ ସରକାର ମିଳିତ ହୋଇ ଏଭଳି ଅପରାଧ କରୁଥିବା ସେ କହିଛନ୍ତି। କେତେକ ହତ୍ୟା ମାମଲାକୁ ପୋଲିସ ପକ୍ଷରୁ ଆତ୍ମହତ୍ୟାର ରୂପ ଦିଆଯାଇ କେସ୍‌କୁ ବନ୍ଦ କରି ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି। ସେହିପରି ସମାଜବାଦୀ ପାର୍ଟି ପକ୍ଷରୁ ଏହି ମାମଲାରେ ସରକାର କାହିଁକି ନୀରବ ରହିଛନ୍ତି ବୋଲି ପ୍ରଶ୍ନ କରାଯାଇଛି। ଜମି ମାଫିଆ ମନ୍ଦିର ପୁଜାରୀଙ୍କଠାରୁ ଜମି ହଡ଼ପ କରିବା ଲାଗି ଅପରାଧମାନ ଘଟାଉଥିବା ବିରୋଧୀ ଦଳ ପକ୍ଷରୁ କୁହାଯାଇଛି। ସରକାର ସବୁ ଜାଣିଶୁଣି ଚୁପ୍‌ ରହୁଥିବା ବିରୋଧୀ କହିଛନ୍ତି।

Share