ଡିଆର୍‌ଡିଏ ଅଫିସ୍‌ରେ ୨୦ ପଜିଟିଭ୍‌, ୩ ଦିନ ପାଇଁ ଅଫିସ୍‌ ବନ୍ଦ

ଝାରସୁଗଡ଼ା ଅଫିସ୍‌,୮।୧: ରାଜ୍ୟରେ କରୋନା ସଂକ୍ରମଣର ତୃତୀୟ ଲହର ଆରମ୍ଭ ହୋଇଛି। ସପ୍ତାହ ହେଲାଣି ଝାରସୁଗୁଡା ଜିଲାରେ ହୁ ହୁ ହୋଇ କରୋନା ପଜିଟିଭ୍‌ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗୋଟିଏ ଦିନରେ ୧୦୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରେ ଡିଆର୍‌ଡିଏ କାର୍ଯ୍ୟାଳୟରେ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସମେତ ୨୦ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ଜିଲାରେ ପଜିଟିଭ୍‌ ସକ୍ରିୟ ସଂଖ୍ୟା ୨୮୮ରେ ପହଞ୍ଚିଛି।

ଏପରିକି ଜିଲାର କେତେକ ପୋଲିସ ଅଧିକାରୀ ଓ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ଶୁକ୍ରବାରଠାରୁ ୩ଦିନ ପାଇଁ ଡିଆର୍‌ଡିଏ କାର୍ଯ୍ୟାଳୟକୁ ବନ୍ଦ କରିଦିଆଯାଇଛି। କଣ୍ଟାକ୍ଟ ଟ୍ରେସିଂ ପରେ ଡିଆର୍‌ଡିଏ କାର୍ଯ୍ୟାଳୟ ସହ ବେଦାନ୍ତ କମ୍ପାନୀର ଲିଙ୍କ୍‌ ରହିଛି। ଫଳରେ ବେଦାନ୍ତକୁ କୋଭିଡ୍‌ କ୍ଲଷ୍ଟର ଭାବେ ନିଆଯାଇଛି।

ଜିଲା ପ୍ରଶାସନ ଓ କମ୍ପାନୀ କର୍ତ୍ତୃପକ୍ଷଙ୍କ ମିଳିତ ଉଦ୍ୟମରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଜିଲାପାଳ ସରୋଜ କୁମାର ସାମଲ ଗଣମାଧ୍ୟମକୁ କହିଛନ୍ତି। ଜିଲାରେ ବିମାନ ବନ୍ଦର, ରେଳ ଜଙ୍କଶନ୍‌, ବିଭିନ୍ନ କଳାକାରଖାନା ଓ ଖଣି ଖାଦାନ ରହିଛି। ଏଠାକୁ ପ୍ରତିଦିନ ଲୋକେ ଯାତାୟାତ କରୁଛନ୍ତି। ଫଳରେ କୋଭିଡ୍‌ ପଜିଟିଭ୍‌ ସଂଖ୍ୟା ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ବିମାନ ବନ୍ଦର, ରେଳ ଜଙ୍କଶନ ଆଦି ସ୍ଥାନରେ ଯାତ୍ରୀଙ୍କ ସମ୍ପୂର୍ଣ୍ଣ ପରିଚୟ ରଖାଯାଇ ସେମାନଙ୍କ ସ୍ବାବ୍‌ ସଂଗ୍ରହ କରାଯାଇ ପରୀକ୍ଷା କରାଯିବ। ଭିଏସ୍‌ଏସ୍‌ ବିମାନ ବନ୍ଦରରେ ଯାତ୍ରୀଙ୍କ ସ୍ବାବ୍‌ ସଂଗ୍ରହ ଆରମ୍ଭ କରାଯାଇଛି। ଝାରସୁଗୁଡା, ବ୍ରଜରାଜନଗର ଓ ବେଲପାହାଡ ରେଳଷ୍ଟେଶନରେ ଯାତ୍ରୀଙ୍କ ସ୍ବାବ୍‌ ସଂଗ୍ରହ ଖୁବ୍‌ଶୀଘ୍ର କରାଯିବ ବୋଲି ଜିଲାପାଳ ସାମଲ କହିଛନ୍ତି।