୨୦ ଘରୋଇ ସ୍କୁଲକୁ ନୋଟିସ

ଭୁବନେଶ୍ୱର, ୫।୪(ଅସମାପିକା ସାହୁ): ୨୦୨୪-୨୫ ଶିକ୍ଷାବର୍ଷରେ ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଘରୋଇ ସ୍କୁଲରେ ମାଗଣା ପଢ଼ିବାକୁ ମନୋନୀତ ହୋଇଥିବା ଛାତ୍ରୀଛାତ୍ରଙ୍କୁ କିଛି ସ୍କୁଲ ଫେରାଇ ଦେବା ପରେ ବିବାଦ ତେଜିବାରେ ଲାଗିଛି। ଏହାର ପ୍ରତିବାଦରେ ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ଶତାଧିକ ଅଭିଭାବକ ଗୁରୁବାର ଭୁବନେଶ୍ୱର ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିଲେ। ପରେ ବିଇଓ ସଂଘ ସହିତ ଆଲୋଚନା କରିଥିଲେ। ତେବେ ଅଭିଯୋଗ ଅନୁଯାୟୀ ୨୦ଟି ସ୍କୁଲକୁ ନୋଟିସ ଜାରି କରିଛନ୍ତି ବିଇଓ।
ଶିକ୍ଷା ଅଧିକାର ଆଇନ(ଆର୍‌ଟିଇ) ଅନୁଯାୟୀ ଘରୋଇ ବିଦ୍ୟାଳୟର ୨୫% ସିଟ୍‌ରେ ମାଗଣା ଶିକ୍ଷାଦାନ ପାଇଁ ପ୍ରାବଧାନ ରହିଛି। ହେଲେ ଏହାକୁ ବହୁ ଘରୋଇ ବିଦ୍ୟାଳୟ ମାନୁନାହାନ୍ତି। ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ଆର୍‌ଟିଇ ଅଧୀନରେ ନାମଲେଖାଇବା ପାଇଁ ଛାତ୍ରୀଛାତ୍ରଙ୍କ ପ୍ରଥମ ପର୍ଯ୍ୟାୟ ତାଲିକା ପ୍ରକାଶ ପାଇଛି। ଗତ ୨୭ ତାରିଖରୁ ଚୟନ ହୋଇଥିବା ବିଦ୍ୟାଳୟରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ହେଲେ କିଛି ଘରୋଇ ବିଦ୍ୟାଳୟ ଆର୍‌ଟିଇ ନାମଲେଖା ପାଇଁ କୌଣସି ସିଟ୍‌ ଉପଲବ୍ଧ ନ ଥିବା କହି ଅଭିଭାବକଙ୍କୁ ଫେରାଇ ଦେଉଛନ୍ତି। ଏପରିକି କାଗଜପତ୍ର, ସରକାରୀ ନିର୍ଦ୍ଦେଶନାମା, ଚୟନ ତାଲିକା ଆଦି ଦେଖିବାକୁ ମଧ୍ୟ ନାରାଜ ହେଉଛନ୍ତି। ଆଉ ଦୁଇଦିନ ଅର୍ଥାତ୍‌ ଏପ୍ରିଲ ୬ରେ ନାମଲେଖା ଶେଷ ହେଉଥିବାବେଳେ ବହୁ ଛାତ୍ରୀଛାତ୍ର ନାମଲେଖାରୁ ବଞ୍ଚତ୍ତ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ତେଣୁ ଅଭିଭାବକ ମହାସଂଘର କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ, ଶିକ୍ଷା ଅଧିକାର ଆବାହିକା କଳ୍ପନା ସାହୁ, ବିମଲ ଜେନାଙ୍କ ସମେତ ଶତାଧିକ ଅଭିଭାବକ ବିଇଓ କାର୍ଯ୍ୟାଳୟ ଆଗରେ କିଛି ସମୟ ଧାରଣା ଦେବା ସହ ତୁରନ୍ତ ନାମଲେଖା ପାଇଁ ଦାବି କରି ତାଲା ପକାଇ ଦେଇଥିଲେ। ପରେ ଅଭିଭାବକ ମହାସଂଘ ବିଇଓଙ୍କୁ ଭେଟି ସିଟ୍‌ ନ ଥିବା କହି ଫେରାଇ ଦେଇଥିବା ସମ୍ପୃକ୍ତ ବିଦ୍ୟାଳୟ ନାମରେ ଫେରାଦ ହୋଇଥିଲେ। ପ୍ରଥମ ପର୍ଯ୍ୟାୟରେ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କ ନାମଲେଖା ପାଇଁ ସମ୍ପୃକ୍ତ ବିଦ୍ୟାଳୟକୁ ନିର୍ଦ୍ଦେଶ ଦେବା ସହ ନିୟମର ଅବମାନନା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଅଭିଭାବକମାନେ ଦାବି କରିଥିଲେ। ଏହାପରେ ଅଭିଯୋଗ ଆସିଥିବା ୨୦ଟି ବିଦ୍ୟାଳୟକୁ ବିଇଓଙ୍କ ପକ୍ଷରୁ ନୋଟିସ୍‌ ପଠାଯାଇଛି। ଚୟନ ହୋଇଥିବା ଛାତ୍ରୀଛାତ୍ରଙ୍କ ନାମଲେଖା ତୁରନ୍ତ କରିବାକୁ ସମ୍ପୃକ୍ତ ବିଦ୍ୟାଳୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ନିର୍ଦ୍ଦେଶ ଅନୁପାଳନ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ଏ ନେଇ ଭୁବନେଶ୍ୱର ବିଇଓ ପ୍ରଜ୍ଞାପାରମିତା ଜେନା କହିଛନ୍ତି, ଛାତ୍ରୀଛାତ୍ରଙ୍କ ହିତ ଦୃଷ୍ଟିରୁ ନିୟମାନୁଯାୟୀ ସମସ୍ତ ପଦକ୍ଷେପ ନିଆଯାଉଛି। ତେବେ ତୁରନ୍ତ ବଞ୍ଚତ୍ତ ଛାତ୍ରୀଛାତ୍ରଙ୍କ ନାମଲେଖା କରା ନ ଗଲେ ପୁଣି ବିଇଓ ଅଫିସକୁ ତାଲା ପକାଇବା ଶିକ୍ଷା ନିର୍ଦ୍ଦେଶାଳୟ ଅଫିସ ଆଗରେ ଅନିର୍ଦ୍ଦିଷ୍ଟକାଳ ଧାରଣା ଦିଆଯିବ ବୋଲି ମହାସଂଘ ଚେତାବନୀ ଦେଇଛି।