ରେଡ୍‌ ହାର୍ଟ ଇମୋଜି ପଠାଇଲେ ୨୦ ଲକ୍ଷ ଜରିମାନା, ସରକାରଙ୍କ ନୂଆ ନିୟମ…

ରିୟାଦ୍‌,୧୭।୨ : ସୌଦି ଆରବର କଠୋର ନିୟମ ବିଷୟରେ ସଭିଙ୍କୁ ଜଣା। ଅପରାଧୀଙ୍କ ଲାଗି ତ କଠୋର ନିୟମ ରହିଛି। ଏହା ସହିତ ନିତି ଦିନିଆ ଜୀବନରେ କିଛି ଭୁଲ ଦ୍ୱାରା ଲୋକଙ୍କ ଉପରେ ମଧ୍ୟ ଦଣ୍ଡାଦେଶ କରାଯାଇଥାଏ। ଏହି ଭୁଲ ପାଇଁ ଲୋକଙ୍କୁ ବେଳେବେଳେ ବହୁ ମୂଲ୍ୟର ଜରିମାନା ବି ଦେବାକୁ ପଡେ।

ଏବେ ସୌଦି ସରକାର ହ୍ବାଟସ ଆପ୍‌ରେ ରେଡ୍‌ ହାର୍ଟ ଇମୋଜି ପଠାଇବା ଉପରେ କଡ଼ା କଟକଣା ଜାରି କରିଛନ୍ତି। ଏଭଳି ଭୁଲ କଲେ ଜେଲ୍‌ ଦଣ୍ଡାଦେଶ ହେବାର ମଧ୍ୟ ଆଶଙ୍କା ରହିଛି। ଏହା ସହିତ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ମଧ୍ୟ ଲଗାଯାଇପାରିବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି।

ସୌଦି ସରକାରଙ୍କ ଶୂନ ସହନଶୀଳତା ନୀତି (ଜିରୋ ଟଲୋରାନ୍ସ୍‌ ରୁଲ୍‌) ଅନ୍ତର୍ଗତ ଆଇଟି ନିୟମକୁ ଅଧିକ କଠୋର କରାଯାଇଛି। ତେଣୁ କାହାକୁ ରେଡ୍‌ ହାର୍ଟ ଇମୋଜି ପଠାଇବା ଉତ୍ପୀଡନ ଅପରାଧ ବୋଲି ବିବେଚନା କରାଯାଇଥାଏ। ଯଦି କେହି ଏପରି ଇମୋଜି କାହାକୁ ପଠାନ୍ତି ଏବଂ ସେହି ବ୍ୟକ୍ତି ଅଭିଯୋଗ କରନ୍ତି, ତେବେ ଏହି ନିର୍ଯାତନା ଅପରାଧ ବର୍ଗରେ ଆସିବ। ଏଭଳି ଅପରାଧ ପାଇଁ ସରକାର ଏକ ଶୂନ୍ୟ ସହନଶୀଳତା ନୀତି ଆପଣେଇଛନ୍ତି। ଆଇନ ଅନୁସାରେ ରେଡ୍‌ ହାର୍ଟ ଇମୋଜି ଯୌନ ଅପରାଧ ସହିତ ଜଡିତ।

ରିପୋର୍ଟ ଅନୁଯାୟୀ, ଯଦି ରେଡ୍‌ ହାର୍ଟ ଇମୋଜି ପ୍ରାପ୍ତକର୍ତ୍ତା ଅଭିଯୋଗ କରନ୍ତି ଏବଂ ପଠାଇଥିବା ବ୍ୟକ୍ତି ଦୋଷ ପ୍ରମାଣିତ ହୁଏ, ତେବେ ପ୍ରେରକଙ୍କୁ ୧୦୦,୦୦୦ ରୁ ଅଧିକ ସୌଦି ରିୟାଲ( ଭାରତୀୟ ମୁଦ୍ରାରେ ୨୦ ଲକ୍ଷ) କିମ୍ବା ୨ ବର୍ଷ ଜେଲ କିମ୍ବା ଉଭୟ ଜେଲ ଦଣ୍ଡ ଏବଂ ଜରିମାନା ଦଣ୍ଡାଦେଶ କରା ଯାଇପାରେ।

ଯଦି ସମାନ ବ୍ୟକ୍ତି ବାରମ୍ବାର ଏହି ନିୟମକୁ ଉଲ୍ଲଂଘନ କରନ୍ତି, ତେବେ ତାଙ୍କୁ ୩୦୦,୦୦୦ ସୌଦି ରିୟାଲ ଜରିମାନା କିମ୍ବା ୫ ବର୍ଷ କିମ୍ବା ଉଭୟ ଦଣ୍ଡାଦେଶ ଏକା ସହିତ ଦିଆ ଯାଇପାରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

Share