ପୂଜା ହିଂସାରେ ଜଳିଗଲା ୨୦ ହିନ୍ଦୁଙ୍କ ଘର

ଢାକା,୧୮।୧୦: ଫେସବୁକ ପୋଷ୍ଟକୁ କେନ୍ଦ୍ର କରି ବାଂଲାଦେଶରେ ଦୁର୍ଗା ପୂଜା ବେଳେ ମନ୍ଦିର ଭଙ୍ଗାରୁଜା କରାଯିବା ସହ ଅନେକ ହିନ୍ଦୁଙ୍କ ଘର ଭାଙ୍ଗି ଦିଆଯାଇଥିଲା। ଏକ ରିପୋର୍ଟ ଅନୁଯାୟୀ, ୬୬ ଘର ଭାଙ୍ଗି ଦିଆଯାଇଥିବା ବେଳେ ଅତିକମ୍‌ରେ ୨୦ ଘର ଜାଳି ଦିଆଯାଇଥିବା କୁହାଯାଇଛି।

ହିନ୍ଦୁ ପରିବାର ଉପରେ ଏଭଳି ଅତ୍ୟାଚାର ରାଜଧାନୀ ଢ଼ାକାଠାରୁ ୨୫୫ କିମି ଦୂର ଏକ ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଘଟିଥିବା ଜଣାପଡ଼ିଛି। ଖବର ପାଇ ପୋଲିସ ମାଛଧରାଳିଙ୍କ କଲୋନିରେ ପହଞ୍ଚିଥିଲା। ଜଣେ ହିନ୍ଦୁ ଯୁବକ ଫେସବୁକ ପୋଷ୍ଟ ଜରିଆରେ ଇସ୍ଲାମ ଧର୍ମକୁ ଅସମ୍ମାନିତ କରିଥିବା ଗୁଜବ ପ୍ରକାଶ ପାଇବା ପରେ ଗ୍ରାମରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଥିଲା। ଉକ୍ତ ଯୁବକଙ୍କ ପରିବାର ଲୋକଙ୍କୁ ସୁରକ୍ଷା ଦେଇଥିଲା ପୋଲିସ। ଏଣୁ ଆକ୍ରମଣକାରୀମାନେ ଆଖପାଖ ଘରେ ନିଆଁ ଲଗାଇ ଦେଇଥିଲେ ବୋଲି ଜିଲାର ଏସ୍‌ପି ମହମ୍ମଦ କ୍ୱାମରୁଜାମାନ ଘଟଣାର ରିପୋର୍ଟରେ ପ୍ରକାଶ କହିଛନ୍ତି।

ଫାୟାର ସର୍ଭିସ କଣ୍ଟ୍ରୋଲ ରୁମ୍‌ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରେ ମଝିପାରା ଅଞ୍ଚଳରେ ୨୯ ଘରକୁ ଜାଳି ଦିଆଯାଇଥିଲା। ପ୍ରବଳ ସଂଖ୍ୟାରେ ଏକତ୍ରିତ ହୋଇଥିବା ଭିଡ଼ ଏହି ଅଗ୍ନିକାଣ୍ଡ ପାଇଁ ଦାୟୀ। ରାତି ୮.୪୫ରେ ଆମକୁ ଖବର ମିଳିଥିଲା। ସକାଳ ୪ଟା ୧୦ରେ ନିଆଁ ସମ୍ପୂର୍ଣ୍ଣ ରୂପେ ନିୟନ୍ତ୍ରଣକୁ ଆସିଥିଲା। ଏପର୍ଯ୍ୟନ୍ତ କେହି ମୃତାହତ ହୋଇଥିବା ଜଣାପଡ଼ି ନାହିଁ।

Share