ପୋଖରୀକୁ ଗାଧୋଇବାକୁ ଯାଇ ବୁଡ଼ିଗଲେ ୨ ଯୁବକ

ବ୍ରହ୍ମପୁର,୨୪ା୫(ସୁବାସ ଚନ୍ଦ୍ର ପାଢ଼ୀ): ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୁଲି ନୂଆ ସାହି ନିକଟରେ ଥିବା ବଡ଼ ବନ୍ଧ(ପୋଖରୀ)ରେ ବୁଡ଼ି ଜଣେ ଛାତ୍ର ସମେତ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ଅଗ୍ନିଶମ ବିଭାଗର ଆଗ୍ନିକମାନେ ପୋଖରୀ ଭିତରୁ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର କରି ପୋଲିସକୁ ହସ୍ତାନ୍ତର କରିଛି। ସେମାନେ ହେଲେ ଅଯୋଧ୍ୟାନଗର ସେକେଣ୍ଡ୍‌ ଲାଇନରେ ବିଶ୍ୱଜିତ ମାରାଣ୍ଡି (୧୬)। ସେ ନିକଟରେ ମାଟ୍ରିକ ପାସ୍‌ ହୋଇଥିଲେ ବୋଲି ଜଣାପଡ଼ିଛି। ଅନ୍ୟ ଜଣେ ହେଲେ ଖୋଢାସିଙ୍ଗ ଅଞ୍ଚଳର ଅଭିଜିତ ମାରାଣ୍ଡି। ପୋଲିସ ଏସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଘଟଣାର ତଦନ୍ତ ଜାରି ରଖିଛି।

ସୂଚନା ମୁତାବକ ରବିବାର ସକାଳେ ୩ଜଣ ଯୁବକ ଉକ୍ତ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଅସାବଧାନତା ଯୋଗୁ ସେମାନେ ପୋଖରୀ ଭିତରେ ବୁଡ଼ି ଯାଇଥିଲେ। ସେଠାରେ ଗାଧୋଉଥିବା ଲୋକମାନେ ଜଣେ ଯୁବକଙ୍କୁ ଉଦ୍ଧାର କରିବା ସହ ଦୁଇଜଣଙ୍କୁ ଖୋଜି ବାହାର କରିପାରି ନ ଥିଲେ। ଅଗ୍ନିଶମ ବିଭାଗକୁ ଖବର କରିଥିଲେ। ପରେ ଆଗ୍ନିକମାନେ ସେଠାରେ ପହଞ୍ଚି ପୋଖରୀ ଭିତରୁ ଉକ୍ତ ଦୁଇ ମୃତଦେହ ଜବତ କରିଥିଲା।

Dharitri – Odisha’s No.1 Odia Daily

Share