ସହାୟତା ବାହାନାରେ ଏଟିଏମ୍‌ କାର୍ଡ ବଦଳାଇ ଲୁଟୁଥିଲେ ଟଙ୍କା: ୨ ଆନ୍ତଃରାଜ୍ୟ ଅପରାଧୀଙ୍କୁ ଧରିଲା ଛତ୍ରପୁର ପୋଲିସ

ଛତ୍ରପୁର, ୧୭।୧୧(ଡି.ଏନ୍‌.ଏ.)- ରାଜ୍ୟର ବିଭିନ୍ନ ଜ଼ିଲାରେ ଏଟିଏମ୍‌ରୁ କାର୍ଡ ମାଧ୍ୟମରେ ଟଙ୍କା ଉଠାଣ ବେଳେ ଲୋକଙ୍କୁ ସହାୟତା ଆଳରେ ସେମାନଙ୍କ ଏଟିଏମ୍‌ କାର୍ଡ ବଦଳାଇ ଟଙ୍କା ଲୁଟ କରୁଥିବା ମାମଲାରେ ଛତ୍ରପୁର ପୋଲିସକୁ ସଫଳତା ମିଳିଛି। ଏଥିରେ ସମ୍ପୃକ୍ତ ୨ କୁଖ୍ୟାତ ଅପରାଧୀଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ ହେଲେ ଗଜପତି ଜିଲ୍ଲା ମୋହନା ବସଷ୍ଟାଣ୍ଡ ନିବାସୀ ସୀମାଞ୍ଚଳ ସାହୁ ଓରଫ ଚେରୁ (୨୮) ଓ ସହଯୋଗୀ ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ଼ ଗ୍ରାମର ତଥା ବର୍ତ୍ତମାନ ଖଣ୍ଡଗିରି ଥାନା ଅନ୍ତର୍ଗତ ଡୁମଡୁମା ଫେଜ-୨ରେ ରହୁଥିବା ଗୋବର୍ଦ୍ଧନ ପାତ୍ର(୩୫)। ସେମାନଙ୍କ ନିକଟରୁ ନଗଦ ୨ ଲକ୍ଷ ୭୦ ହଜାର ଓ ଗୋଟିଏ ସୁନା ମୁଦି, ବିଭିନ୍ନ ବ୍ୟକ୍ତିଙ୍କ ନାମରେ ଥିବା ୯ ଟି ଏଟିଏମ୍‌ କାର୍ଡ, ଗୋଟିଏ ବଜାଜ ପଲସର୍‌, ଗୋଟିଏ ସ୍କୁଟି ଏବଂ ୨ ଟି ମୋବାଇଲ ପୋଲିସ ଜବତ କରିଛି l ତେବେ ଉଭୟଙ୍କୁ ଗିରଫ ପରେ ପୋଲିସ ଜେରା କରିଥିଲା। ସେମାନେ ଗଞ୍ଜାମ, ନୟାଗଡ, ମାଲକାନଗିରି ଓ ନୂଆପଡା ଜ଼ିଲାରେ ହୋଇଥିବା ୨୪ଟି ଏଟିଏମ୍‌ ଠକେଇ ମାମଲାରେ ଜଡିତ ଥିବା ଜଣାପଡ଼ିଛି। ଏପରିକି ଉଭୟଙ୍କୁ ୧୯ଟି ମାମଲାରେ ପୋଲିସ ଖୋଜୁଥିବା ସୂଚନା ମିଳିଛି।