ଭରା ନଦୀରୁ ୧୦ ଜଣଙ୍କୁ ବଞ୍ଚାଇଲେ ୨ ଆଦିବାସୀ ଯୁବକ

ଟିକିରି,୨୮।୯(ପ୍ରଫୁଲ୍ଲ କୁମାର ବେହେରା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଗୋରଖପୁର ପଞ୍ଚାୟତ କାହ୍ନୁଗୁଡା ଗ୍ରାମର ସରକାରୀ ବିଦ୍ୟାଳୟରେ ଅଭିଭାବକଙ୍କ ଏକ କାର୍ଯ୍ୟକ୍ରମକୁ ଆସି ଗ୍ରାମକୁ ଫେରୁଥିବାବେଳେ ନଦୀରେ ପ୍ରବଳ ପାଣି ଆସିବାରୁ ଏକ ଛୋଟ ଛୁଆ ସହିତ ୧୦ଜଣ ଭାସିଯାଉଥିଲେ। ଏହି ସମୟରେ ନଦୀର ତଳମୁଣ୍ଡରେ ଗୋରୁ ଚରାଉଥିବା ୨ ଆଦିବାସୀ ଯୁବକ ପ୍ରଦୀପ ମାଝି ଏବଂ ନାବି ମାଝି ଏହା ଦେଖି ହଠାତ୍‌ ନିଜ ଜୀବନକୁ ବାଜି ଲଗାଇ ନଦୀର ପ୍ରଖର ସୁଅ ଭିତରକୁ ଡେଇଁପଡ଼ି ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ସେମାନଙ୍କ ପାଟି ଶୁଣି ଗ୍ରାମବାସୀ ଆସି ସମସ୍ତଙ୍କୁ ସହଯୋଗ କରି ନଦୀରୁ ଉଦ୍ଧାର କରିଥିଲେ। ନଦୀରୁ ଉଦ୍ଧାର ହୋଇଥିବା ଏକ ଛୋଟ ଶିଶୁ ସହିତ ମହିଳାମାନେ ହେଲେ ତୁଳସୀ ମାଝି, କମଳା ମାଝି, ସାପାଇ ମାଝି, ବାନାଇ ମାଝି, ଲିମ୍ବାଇ ମାଝି, ସାଳ ମାଝି, ଚୁମକି ମାଝି, ଜଗୀତା ମାଝି, ଖଗପତି ମାଝି । ୧୦ ଜଣଙ୍କ ଜୀବନ ବଞ୍ଚେଇ ଦେଇଥିବାରୁ ୨ ଆଦିବାସୀ ଯୁବକଙ୍କୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟିଛି।