Categories: Uncategorized

୨ ଟନ୍‌ ସାମଗ୍ରୀ ଜବତ, ୫୦ହଜାର ଜରିମାନା

ଭୁବନେଶ୍ୱର, ୧୨।୧(ବ୍ୟୁରୋ): ରାଜଧାନୀରେ ପୁଣି ଏକ ପଲିଥିନ୍‌ ଗୋଦାମ ଉପରେ ଚଢ଼ାଉ କରାଯାଇଛି। ସୋମବାର ଆଇଗିଣିଆ ଆଳୁଗଦି ନିକଟ ଏକ ପଲିଥିନ୍‌ ଗୋଦାମରେ ଚଢ଼ାଉ କରାଯାଇ ବେଆଇନ୍‌ ପଲିଥିନ ସାମଗ୍ରୀ ଜବତ କରାଯାଇଛି। ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଦକ୍ଷିଣ-ପଶ୍ଚିମ ଜୋନ୍‌ର ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌, ସେଣ୍ଟ୍ରାଲ୍‌ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌, ପ୍ଲାଷ୍ଟିକ୍‌ ଏନ୍‌ଫୋର୍ସମେଣ୍ଟ ସିକ୍ୟୁରିଟି ଏବଂ ବିଏମ୍‌ସି ଏସ୍‌ବିଏ ସେଲ୍‌ର ଏନ୍‌ଭାଇରନ୍‌ମେଣ୍ଟ ଇଞ୍ଜିନିୟର୍‌ କୀର୍ତ୍ତିମାନ୍‌ ଷଡ଼ଙ୍ଗୀ ଏହି ଗୋଦାମରେ ଚଢ଼ାଉ କରିଥିଲେ। ସେଠାରେ ବିପୁଳ ପରିମାଣର ବେଆଇନ ପଲିଥିନ୍‌ ଏବଂ ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକ୍‌/ଥର୍ମକୁଲ୍‌ ସାମଗ୍ରୀ ଦେଖି ଜୋନାଲ୍‌ ଡେପୁଟି କମିଶନର ରବି ନାରାୟଣ ଜେଠୀଙ୍କୁ ଜଣାଇଥିଲେ। ସମସ୍ତ ସାମଗ୍ରୀକୁ ତନଖି କରାଯାଇଥିଲା। ସମ୍ପୃକ୍ତ ଗୋଦାମ ସାହୁ ଟ୍ରେଡର୍ସଙ୍କ ପାଖରୁ ୨ଟନ୍‌ର ପଲିଥିନ୍‌ ବ୍ୟାଗ୍‌, ଡିସ୍‌ପୋଜେବୁଲ୍‌ ଗ୍ଲାସ୍‌ ଏବଂ ଥର୍ମକୁଲ୍‌ର ଥାଳି ଓ ଗିନା ଇତ୍ୟାଦି ଜବତ କରାଯିବା ସହ ସମ୍ପୃକ୍ତ ମାଲିକଙ୍କୁ ୫୦ହଜାର ଟଙ୍କା ଜରିମାନା କରାଯାଇଛି। ଏଥିସହିତ ନୋଟିସ୍‌ ମଧ୍ୟ ଦିଆଯାଇଛି। ଭବିଷ୍ୟତରେ ଏପରି କାରବାର ନଜରକୁ ଆସିଲେ ସମ୍ପୃକ୍ତ ମାଲିକଙ୍କୁ ୧ ଲକ୍ଷ ଟଙ୍କାର ଜରିମାନା ସାଙ୍ଗକୁ ତାଙ୍କର ଗୋଦାମ ସିଲ୍‌ କରାଯିବ ଏବଂ ତାଙ୍କ ନାମରେ ମାମଲା ରୁଜୁ କରାଯିବ ବୋଲି ବିଏମ୍‌ସି କର୍ତ୍ତୃପକ୍ଷ ଜଣାଇଛନ୍ତି।
ସୂଚନାଯୋଗ୍ୟ, ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀଙ୍କ ନିର୍ଦ୍ଦେଶ କ୍ରମେ ଏବଂ ଡେପୁଟି କମିଶନର ଶୁଭେନ୍ଦୁ କୁମାର ସାହୁଙ୍କ ପରିଚାଳନାରେ ସ୍ବତନ୍ତ୍ର ରଣନୀତିରେ ଭୁବନେଶ୍ୱରକୁ ପରିବେଶ ବନ୍ଧୁ ସହର ଭାବେ ଗଢ଼ି ତୋଳିବା ପାଇଁ ନିୟମିତ ପ୍ରଚାର ପ୍ରସାର ସାଙ୍ଗକୁ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରହିଛି।