୨୦ ଦିନରେ ଗ୍ରାମରୁ ୨ ଥର ଚୋରି

ରଣପୁର,୧୭ା୩(ସ୍ବ.ପ୍ର.): ଗୋଟିଏ ଗ୍ରାମରେ ୨୦ଦିନ ଭିତରେ ୨ଥର ଚୋରି ହୋଇଛି। ଚୋରମାନେ ଘର ବାରିପଟେ ପଶି ୨ ପରିବାରର ଟଙ୍କା ସୁନା ଚୋରି କରି ନେଇ ଯାଇଛନ୍ତି। ସ୍ଥାନୀୟ ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଚୋରମାନଙ୍କ ଟେର ପାଇ ପାରୁନାହିଁ। ଚୋରମାନେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ କରି ଚୋରି କରି ଚାଲିଛନ୍ତି ବୋଲି ଏଠାରେ ଆଲୋଚନା ଜୋର ଧରିଛି।
ନୟାଗଡ଼ ଜିଲା ରଣପୁର ଥାନା ଅଧୀନ ଲେଖନପୁର ଗ୍ରାମରେ ଗତ ୨୩ ତାରିଖରେ ଚିନ୍ତାମଣି ମହାରଣାଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନାରୁପା ଅଳଙ୍କାର ସହିତ ୬୦ ହଜାର ଟଙ୍କା ଚୋରମାନେ ଲୁଟି ନେଇଥିଲେ। ଏହି ଘଟଣାର ୨୦ଦିନ ନ ପୂରୁଣୁ ପୁଣି ସେହି ଗ୍ରାମର ପ୍ରଫୁଲ କୁମାର ସାହୁଙ୍କ ଘରୁ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରମାନେ କଳାକନା ବୁଲାଇଛନ୍ତି। ପରିବାର ଲୋକମାନେ ଶୋଇଥିବା ସୁଯୋଗ ନେଇ ଚୋରମାନେ ବାରିପଟେ କବାଟ ଭାଙ୍ଗି ଘରେ ପଶି ଥିଲେ। ପରିବାରର ସଦ୍ୟସ୍ୟମାନେ ଅନ୍ୟ ଘରେ ଶୋଇଥିଲେ। ସେହି ଘରର କବାଟ ବାହାର ପଟୁ ବନ୍ଦ କରି ଅନ୍ୟଏକ ଘରେ ଥିବା ଆଟାଚ ଓ କାଠ ଆଲମିରାକୁ ଭାଙ୍ଗି ସେଥିରେ ଥିବା ପ୍ରାୟ ବିଭିନ୍ନ ସୁନା ଅଳଙ୍କାର ଓ ନଗଦ ଟଙ୍କା ନେଇ ଯାଇଛନ୍ତି। ଅଳଙ୍କାର ଓ ଟଙ୍କା ନେବା ପରେ ସେହି ଆଟାଚକୁ ବାରିପଟ ବିଲ ମଝିରେ ପକାଇଦେଇଛନ୍ତି। ଏ ନେଇ ଥାନାରେ ଅଭିଯୋଗ ପରେ ପୋଲିସ ଏକ ମାମଲା (ନଂ.୬୯/୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ହେଲେ ଚୋରମାନଙ୍କ କୌଣସି ଟେର ମିଳି ପାରିନାହିଁ। ଏହି ଘଟଣାକୁ ନେଇ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ପୋଲିସ ରାତିରେ ପାଟ୍ରୋଲିଂ ବ୍ୟବସ୍ଥା ବଢ଼ାଇବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।