ମୋହନା,୧୭।୪ ( ମନ୍ମଥ ମିଶ୍ର ): ଗଜପତି ଜିଲା ଆର୍.ଉଦୟଗିରୀ ଥାନା ନୂଆଗଡ ବ୍ଲକ ଅନ୍ତର୍ଗତ ରୁବୁଡ଼ିସିଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତ ବୁଧବାର ଗେଟ୍ ତଳେ ଚାପି ହୋଇ ୨ ଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ତେବେ ଆଜି ଘଟଣାସ୍ଥଳରେ ଓଏଚଆରସି ଅଧ୍ୟକ୍ଷା ଓ ଜିଲା ପ୍ରଶାସନ ପହଞ୍ଚି ତଦନ୍ତ କରିଛନ୍ତି। ଅଧ୍ୟକ୍ଷା ଘଟଣାକୁ ଦୃଢ ନିନ୍ଦା କରିବା ସହ ଘଟଣାରେ ଯିଏ ବି ଦୋଷୀ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ଏହା ସହ ମୃତ ଛାତ୍ରୀଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଛନ୍ତି । ଜିଲାରେ ଏଭଳି ବିପଦପୂର୍ଣ୍ଣ ଅବସ୍ଥାରେ ରହିଥିବା ବିଦ୍ୟାଳୟ ଗୁଡିକର ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି। ଏହା ସହିତ ଜିଲା ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇ ବିଦ୍ୟାଳୟରେ କାର୍ଯ୍ୟରତ ଥିବା ପ୍ରଧାନଶିକ୍ଷକ ସେତୋ ରାଇକାଙ୍କୁ ନିଲମ୍ବିତ କରାଯାଇଛି। ଏପଟେ ଜିଲା ଶିକ୍ଷା ବିଭାଗ ପକ୍ଷରୁ ଠିକାଦାରଙ୍କ ବିରୋଧରେ ଆର୍ ଉଦୟଗିରି ଥାନାରେ ମାମଲା ରୁଜୁ ମଧ୍ୟ ହୋଇଛି।