ରାଜଧାନୀରୁ ଯୁକ୍ତ ୨ ଛାତ୍ର ନିଖୋଜ

ଭୁବନେଶ୍ୱର,୨୮।୮(ବ୍ୟୁରୋ): ରାଜଧାନୀରେ ଶିକ୍ଷାନୁଷ୍ଠାନଗୁଡ଼ିକରେ ଦିିନକୁ ଦିନ ରାଗିଂ ଘଟଣା ବଢ଼ିବାରେ ଲାଗିଥିବାବେଳେ ଏବେ ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ପଟିଆର ଏକ ଘରୋଇ କଲେଜରେ ଯୁକ୍ତ ୨ରେ ପଢ଼ୁଥିବା ଜଣେ ଛାତ୍ର ନିଖୋଜ ହୋଇଛନ୍ତି। ନିଖୋଜ ଛାତ୍ରଜଣଙ୍କ ହେଲେ ବାଲେଶ୍ୱର ଜିଲାର ହୃଦୟେଶ ପଣ୍ଡା (୧୬)। ଛାତ୍ରଙ୍କ ନିଖୋଜ ହେବା ନେଇ ପରିବାର ଲୋକଙ୍କ ପକ୍ଷରୁ ଚନ୍ଦ୍ରଶେଖପୁର ଥାନାରେ ଅଭିଯୋଗ ହୋଇଛି। ବକେୟା ଅର୍ଥ ଦେଇ ନ ଥିବାରୁ କଲେଜର ଚେୟାରମ୍ୟାନ ବିଭିନ୍ନ ପ୍ରକାର ମାନସିକ ନିର୍ଯାତନା ଦେବା ସହ ଗାଳିଗୁଲଜ ଓ ମାଡ଼ ମାରିଥିବା ଯୋଗୁଁ ହୃଦୟେଶ ନିଖୋଜ ଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଏନେଇ କଲେଜ ଅଧ୍ୟକ୍ଷଙ୍କ ନାଁରେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରାଯାଇଛି। ଶନିବାର ସକାଳୁ ହୃଦୟେଶଙ୍କ କୌଣସି ପତ୍ତା ମିଳୁ ନ ଥିବା ବାପା ରାମକୃଷ୍ଣ ପଣ୍ଡା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୋଲିସ ମାମଲା (ନଂ. ୨୯୭/୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏଥିସହ ହୃଦୟେଶ ଯେଉଁ ନମ୍ବରରୁ ଫୋନ କରିଥିଲେ ସେ ନମ୍ବର କାହାର ତାକୁ ଯାଞ୍ଚ କରିବା ସହ ଖୋଜା ଚାଲିଛି। ସେହିପରି ଅଭିଯୋଗ ପରେ ପୋଲିସ ଉକ୍ତ କଲେଜକୁ ଯାଇ ଅଧ୍ୟକ୍ଷଙ୍କୁ ପଚରାଉଚରା କରିଥିବା ଜଣାପଡ଼ିଛି ।
ସୂଚନାମୁତାବକ ରାମକୃଷ୍ଣଙ୍କ ପୁଅ ହୃଦୟେଶ ପଟିଆସ୍ଥିତ ଏକ ଘରୋଇ କଲେଜ ହଷ୍ଟେଲରେ ରହି ଯୁକ୍ତ ୨ ବିଜ୍ଞାନରେ ପାଠ ପଢ଼ନ୍ତି। ତାଙ୍କର ଏହା ଦ୍ୱିତୀୟ ବର୍ଷ ଥିଲା। ଶୁକ୍ରବାର ସାରେ ହୃଦୟେଶ ଏଠାରେ ଭଲ ଲାଗୁନି କହି ତାଙ୍କୁ ଘରକୁ ନେଇଯିବାକୁ ବାପାଙ୍କୁ ଫୋନ କରି କହିଥିଲେ। ଏପରି କି ତାଙ୍କୁ ହଷ୍ଟେଲରେ ମାଡ଼ ମରାଯିବା ସହ ରାଗିଂ କରାଯାଇଥିବା ବାପାଙ୍କୁ କହିଥିଲେ। ପୁଅ କଥା ଶୁଣି ରାମକୃଷ୍ଣ ଶନିବାର ସକାଳେ କଲେଜ ହଷ୍ଟେଲରେ ପହଞ୍ଚତ୍ଥିଲେ। ହେଲେ ହଷ୍ଟେଲରେ ପୁଅକୁ ନ ପାଇ କୁଆଡ଼େ ଗଲା ବୋଲି ହଷ୍ଟେଲ କର୍ମଚାରୀ ଏବଂ ଅନ୍ତେବାସୀଙ୍କୁ ପଚାରିଥିଲେ। ହେଲେ କେହି କିଛି ନ କହିପାରିବାରୁ ରାମକୃଷ୍ଣ ଏନେଇ ପୋଲିସରେ କହିବେ ବୋଲି କଲେକ କର୍ମଚାରୀଙ୍କୁ କହିବାରୁ ସେମାନେ ଓଲଟା ବକେୟା ଫି’ ଆଗ ଦିଅ ତା’ପରେ ଯେଉଁଠି ଅଭିଯୋଗ କରିବ କର ବୋଲି କହିଥିଲେ। ଏହାଶୁଣିବା ପରେ କିଛି ସମୟ ହୃଦୟେଶଙ୍କ ପରିବାର ଲୋକ ଏବଂ କଲେଜ ଅଧ୍ୟକ୍ଷଙ୍କ ମଧ୍ୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା।