ଅନ୍‌ଲାଇନରେ ହେବ ଯୁକ୍ତ ୨ ସ୍ପଟ୍‌ ଆଡ୍‌ମିଶନ

ଭୁବନେଶ୍ୱର,୨୨ା୫(ବ୍ୟୁରୋ): ଚଳିତ ବର୍ଷଠାରୁ ଅନ୍‌ଲାଇନରେ ଯୁକ୍ତ ୨ ସ୍ପଟ୍‌ ଆଡ୍‌ମିଶନ ହେବ। ମେରିଟ୍‌ ଲିଷ୍ଟ ଆଧାରରେ ଛାତ୍ରୀଛାତ୍ରମାନେ ସିଟ୍‌ ପାଇବେ। ସ୍ପଟ୍‌ ଆଡ୍‌ମିଶନ ପାଇଁ ସିଲେକ୍ସନ ହୋଇଥିବା ଛାତ୍ରୀଛାତ୍ରଙ୍କ ପଞ୍ଜୀକୃତ ମୋବାଇଲ୍‌ ନମ୍ବରକୁ ହ୍ବାଟ୍ସଆପ୍‌ କିମ୍ବା ଏସ୍‌ଏମ୍‌ଏସ୍‌ରେ ମେସେଜ୍‌ ପଠାଯିବ। କାଗଜପତ୍ରରେ ଅନିୟମିତତା ରୋକିବାକୁ ସାମ୍ସ ପକ୍ଷରୁ ଚଳିତ ଶିକ୍ଷାବର୍ଷଠାରୁ ଏହି ବ୍ୟବସ୍ଥା କରାଯାଇଛି। ଏନେଇ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ଚଳିତ ମାସ ୧୭ ତାରିଖରେ ନିର୍ଦ୍ଦେଶନାମା ଜାରି ହୋଇଛି। ସେହିପରି ଦଶମ ପାସ୍‌ କରିଥିବା ଛାତ୍ରୀଛାତ୍ର ଯେଉଁମାନେ ଅନ୍‌ଲାଇନ ଦ୍ୱାରା ଆଡ୍‌ମିଶନ କରିବାକୁ ଅବେଦନ କରି ନ ଥିବେ, ସେମାନଙ୍କ ମୋବାଇଲ ଫୋନ୍‌କୁ ଏସ୍‌ଏମ୍‌ଏସ୍‌ ଜରିଆରେ ମେସେଜ୍‌ ପଠାଯାଇ ଇ-ଆଡ୍‌ମିଶନ ଜରିଆରେ ନାମ ଲେଖାଇବାକୁ ସଚେତନ କରାଯିବ। ଯୁକ୍ତ ୨ ନାମଲେଖା ପାଇଁ ଛାତ୍ରୀଛାତ୍ରମାନେ ଅପେକ୍ଷା କରିରହିଥିବାବେଳେ ବର୍ତ୍ତମାନ ସୁଦ୍ଧା ନାମଲେଖା ପ୍ରକ୍ରିୟା କେବେ ଆରମ୍ଭ ହେବ ସେ ନେଇ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।