Categories: ଜାତୀୟ

ମୁହଁରେ ନିଆଁ ଦେବାକୁ ଆସିଲେନି ୨ ପୁଅ

ଯୋଡ଼ା,୯ା୧୦(ମାନସ ମହାନ୍ତି):ଜୀବନର ସମସ୍ତ ସଞ୍ଚୟ ପୁଅମାନଙ୍କୁ ଦେଇ ଶେଷ ସମୟରେ ବୃଦ୍ଧାଶ୍ରମରେ ରହୁଥିବା ବେଳେ ମୃତ୍ୟୁ ପରେ କେହି ମୁହଁରେ ନିଆଁ ଦେବାକୁ ନ ଆସିବା ଚର୍ଚ୍ଚାର ବିଷୟ ହୋଇଛି। ଅନ୍ତିମ ସଂସ୍କାର ପାଇଁ ଦୁଇ ପୁଅ ନ ଆସିବାରୁ ଏକ ସ୍ବେଚ୍ଛାସେବୀ ସଂଗଠନ ଶେଷକୃତ୍ୟ ସମ୍ପନ୍ନ କରିଛି। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ଚମକପୁର୍‌ ଗ୍ରାମରେ।
ସୂଚନା ଅନୁଯାୟୀ, ପୁରନ୍ଦର ଦାସ(୮୭) ଓ ସ୍ତ୍ରୀ ପ୍ରତିମାଙ୍କ ତିନି ସନ୍ତାନ। ବଡ଼ପୁଅ ଏକ କମ୍ପାନୀର ଅବସରପ୍ରାପ୍ତ କର୍ମଚାରୀ ହୋଇଥିବା ବେଳେ ସାନପୁଅ ସେନା ବାହିନୀରୁ ଅବସର ନେଇ ସାରିଛନ୍ତି। ଝିଅ ବିବାହ ପରେ ପାଟଣା ବ୍ଲକ୍‌ର ବେଗନା ଗ୍ରାମରେ ନିଜ ପରିବାର ସହ ରହୁଥିଲେ। ବାର୍ଦ୍ଧକ୍ୟ ଅବସ୍ଥାରେ ସନ୍ତାନମାନେ ମା’ବାପାଙ୍କୁ ପର କରି ଏକୁଟିଆ ଛାଡ଼ିଦେଲେ। କାନ୍‌ପୁର ବୃହତ୍‌ ଜଳସେଚନ ପ୍ରକଳ୍ପ ଯୋଗୁ ଗାଁ ବିସ୍ଥାପିତ ହୋଇଗଲା। ଯାହା କ୍ଷତିପୂରଣ ମିଳିଲା ଦୁଇ ପୁଅ ଓ ଝିଅଙ୍କୁ ସବୁ ଦେଇଦେଇଥିଲେ। ଏବେ ଦୁଇ ପୁଅ କେନ୍ଦୁଝରରେ ଘର କରି ନିଜ ନିଜ ପରିବାର ସହ ରହୁଛନ୍ତି। ମା’ବାପାଙ୍କୁ କେହି ପଚାରୁ ନ ଥିବାରୁ ଦୁଃଖରେ ଭାଙ୍ଗି ପଡ଼ିଥିବା ବୃଦ୍ଧ ଦମ୍ପତି ବାରଦ୍ୱାର ବୁଲି ଆଶ୍ରୟ ଖୋଜୁଥିଲେ। ଗ୍ରାମର ଜଣେ ସହୃଦୟ ବ୍ୟକ୍ତି ସେମାନଙ୍କୁ କିଛିମାସ ସାହାଯ୍ୟ କରିବା ପରେ ‘ମାନବ ପ୍ରେମୀ’ ନାମକ ସ୍ବେଚ୍ଛାସେବୀ ସଂଗଠନର ସାହାଯ୍ୟ ଲୋଡ଼ିଥିଲେ। ପରେ ଏହି ସଂଗଠନର ସହଯୋଗରେ ବୃଦ୍ଧ ଦମ୍ପତିଙ୍କୁ ଗତ ଜୁଲାଇରେ ଚମ୍ପୁଆ, ରାମଲାସ୍ଥିତ ବୃଦ୍ଧାଶ୍ରମ ‘ହାପି ହୋମ’ରେ ଛାଡ଼ିଥିଲେ। ତେବେ ପୁରନ୍ଦର ଅସୁସ୍ଥ ରହୁଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର କେନ୍ଦୁଝର ମୁଖ୍ୟ ଡାକ୍ତରଖାନାରେ ଆଖି ବୁଜିଥିଲେ। ବୃଦ୍ଧାଶ୍ରମର ପ୍ରଚେଷ୍ଟାରେ ଶେଷ ସମୟରେ ତାଙ୍କ ଝିଅ ଓ ନାତି ଉପସ୍ଥିତ ରହିଥିଲେ ହେଁ ଦୁଇ ପୁଅଙ୍କ ଦେଖା ମିଳି ନ ଥିଲା। ଏପରିକି ସେମାନେ ମୃତଦେହ ନେବାକୁ ମଧ୍ୟ ଆସିଲେ ନାହିଁ। ଏଭଳି ପରିସ୍ଥିତିରେ ‘ମାନବ ପ୍ରେମୀ’ ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଓ ଗ୍ରାମବାସୀ ଗ୍ରାମ ଶ୍ମଶାନରେ ଅନ୍ତିମ ସଂସ୍କାର କରିଥିଲେ।

Share