ଦାରିଙ୍ଗବାଡି,୭।୫(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଏବେ ରାଜ୍ୟ ସରକାର ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ବିଭାଗ ର ଦାରିଙ୍ଗବାଡିକୁ ବୁଧବାର ରାଜ୍ୟର ୨ ବରିଷ୍ଠ ଅଧିକାରୀ ତଥା ଓଡିଶା ପର୍ଯ୍ୟଟନ ଉନ୍ନୟନ ବିଭାଗର ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର, ଅତିରିକ୍ତ ସଚିବ ବିନୋଦ ଜେନା ପ୍ରମୁଖ ଗସ୍ତ କରିଛନ୍ତି। ତାଙ୍କ ସହ ଦାରିଙ୍ଗବାଡି ବିଡ଼ିଓ ପ୍ରୀତିରଞ୍ଜନ ରଥ ଏବଂ ତହସିଲଦାର ଧୀରଜ ପାତ୍ର ପ୍ରମୁଖ ଉପସ୍ଥିତ ରହି ପ୍ରସ୍ଥବିତ ପର୍ଯ୍ୟଟନର ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପ ପାଇଁ ଚିହ୍ନଟ କରାଯାଇଥିବା ଜମିକୁ ବୁଲି ଦେଖିଛନ୍ତି। ଉକ୍ତ ଜମିରେ ପର୍ଯ୍ୟଟକଙ୍କ ପାଇଁ ହୋଟେଲ, କଟେଜ, ରାସ୍ତା, ପାର୍କ ଓ ବିଭିନ୍ନ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯିବାକୁ ରହିଥିବା କୁହାଯାଇଛି।
ସୂଚନା ଯୋଗ୍ୟ ଯେ ଚଳିତ ବର୍ଷ ଜାନୁୟାରୀ ୧୪ ରେ ଓଡିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଅନୁ ଗର୍ଗ ଦାୟିତ୍ୱ ନେବା ପରେ ଦାରିଙ୍ଗବାଡି ଗସ୍ତ କରି ପର୍ଯ୍ୟଟନକ୍ଷେତ୍ର ବୁଲି ଦେଖିଥିଲେ ଓ ଏହାର ରୂପାନ୍ତର କରାଯିବାକୁ ଏକ ଖବର ଦାତା ସମ୍ମିଳନୀରେ କହିଥିଲେ ପରେ ଫେବୃୟାରୀ ୧୦ ରେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡା ଦାରିଙ୍ଗବାଡି ଗସ୍ତ କରିବା ସମୟରେ ବିଭିନ୍ନ ପର୍ଯ୍ୟଟନକ୍ଷେତ୍ର ବୁଲି ଦେଖିବା ସହ ଏହାକୁ ବିଶସ୍ତରୀୟ ପର୍ଯ୍ୟଟନ କ୍ଷେତ୍ର ଭାବେ ଗୁରୁତ୍ୱ ଦେଇ ବିକାଶ କରାଯିବାକୁ କହିଥିଲେ। ପରବର୍ତ୍ତୀ ସମୟରେ ଚଳିତ ୭ରେ ପର୍ଯ୍ୟଟନ ବିଭାଗର ପ୍ରମୁଖ ଶାସନ ସଚିବ ବଳବନ୍ତ ସିଂ ଦାରିଙ୍ଗବାଡି ଗସ୍ତ କରି ପର୍ଯ୍ୟଟନ କ୍ଷେତ୍ରର ବିକାଶ ସହ ପ୍ରଥମ ପର୍ଯ୍ୟାୟରେ ୫ଟି ପଞ୍ଚାୟତ ତଥା ଦାରିଙ୍ଗବାଡି ସମେତ ସିଆଙ୍ଗବାଲି, ପ୍ଳିହେରୀ, ଶ୍ରାନିକେତା, ଗ୍ରୀନବାଡି ପଞ୍ଚାୟତ ଅଞ୍ଚଳରେ ହୋମ ଷ୍ଟେ କରିବା ଓ ଏଥିପାଇଁ ସରକାରଙ୍କ ପକ୍ଷରୁ ରିହାତି ସମ୍ପର୍କରେ ଏକ ବୈଠକରେ ଜଣାଇଥିଲେ ଏବଂ ଦାରିଙ୍ଗବାଡି ପର୍ଯ୍ୟଟନ କ୍ଷେତ୍ରର ସମ୍ପୂର୍ଣ୍ଣ ରୂପରେଖ ବଦଳିଯିବ। ସେଥିପାଇଁ ରାଜ୍ୟ ସରକାର ଏହାକୁ ଅଧିକା ଗୁରୁତ୍ୱ ଦେଉଥିବା କହିଥିଲେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ହେଲେ ଦାରିଙ୍ଗବାଡିକୁ ଆହୁରି ଅଧିକ ପର୍ଯ୍ୟଟକ ଆସିବେ ଏବଂ ସ୍ଥାନୀୟ ଲୋକଙ୍କ ରୋଜଗାର ବୃଦ୍ଧି ପାଇବ ସେନେଇ ସରକାର ଦାରିଙ୍ଗବାଡି ପର୍ଯ୍ୟଟନ କ୍ଷେତ୍ରକୁ ଅଗ୍ରାଧିକାର ଦେଉଥିବା କୁହାଯାଇଥିଲା। ଯାହାକି ଏବେ ଏହାର ବିକାଶକୁ ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ବିଭାଗ ଗୁରୁତ୍ୱ ଦେବା ଆରମ୍ଭ କରିଛି।