ଆଜି ଯୁକ୍ତ୨ ବିଜ୍ଞାନ, ବାଣିଜ୍ୟ ପରୀକ୍ଷାଫଳ

ଭୁବନେଶ୍ୱର,୩୧ା୫(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପରିଚାଳିତ ଯୁକ୍ତ୨ ପରୀକ୍ଷାଫଳକୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱର ଅନ୍ତ ଘଟିଛି। ବୁଧବାର ପୂର୍ବାହ୍ନ ୧୧ଟାରେ ପରିଷଦ କାର୍ଯ୍ୟାଳୟରେ ୨୦୨୨-୨୩ ଶିକ୍ଷାବର୍ଷର ଯୁକ୍ତ୨ ପରୀକ୍ଷାଫଳ ପ୍ରକାଶ ପାଇବାକୁ ଯାଉଛି। ଏନେଇ ମଙ୍ଗଳବାର ସିଏଚ୍‌ଏସ୍‌ଇ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଫଳାଫଳ ପ୍ରକାଶ ପାଇବ। ପୂର୍ବାହ୍ନ ୧୧ଟା ପରଠାରୁ ଛାତ୍ରୀଛାତ୍ର www.orissaresults.nic.inରେ ଲଗଇନ୍‌ କରି ସେମାନଙ୍କ ପରୀକ୍ଷାଫଳ ଜାଣିପାରିବେ। ତେବେ କଳା ଓ ଧନ୍ଦାମୂଳକ ପରୀକ୍ଷାଫଳ ନେଇ ତାରିଖ ସ୍ଥିର ହୋଇ ନ ଥିବା ସୂଚନା ଦିଆଯାଇଛି। ସୂଚନା ଥାଉକି, ରାଜ୍ୟର ୧,୧୪୫ଟି ପରୀକ୍ଷା କେନ୍ଦ୍ରରେ ମାର୍ଚ୍ଚ ୧ରୁ ଏପ୍ରିଲ ୫ ଯାଏ +୨ ପରୀକ୍ଷା ଚାଲିଥିଲା। ଏଥିପାଇଁ ମୋଟ ୩ ଲକ୍ଷ ୫୭ହଜାର ୯୪୨ଜଣ ରେଗୁଲାର ଛାତ୍ରୀଛାତ୍ର ଫର୍ମ ପୂରଣ କରିଥିଲେ। କଳା ବିଭାଗରେ ସର୍ବାଧିକ ୨ ଲକ୍ଷ ୩୩ ହଜାର ୮୫୫ଜଣ ରହିଥିଲେ। ସେହିପରି ଯୁକ୍ତ ୨ବିଜ୍ଞାନରେ ୯୩ ହଜାର ୮୯୪, ବାଣିଜ୍ୟରେ ୨୪ ହଜାର ୩୩୧ ଓ ଧନ୍ଦାମୂଳକ ଶିକ୍ଷାରେ ୫,୮୬୨ଜଣ ଛାତ୍ରୀଛାତ୍ର ରହିଥିଲେ। ଅନ୍ୟପକ୍ଷରେ ଏକ୍ସରେଗୁଲାର ପରୀକ୍ଷା ପାଇଁ ୧ଲକ୍ଷ ୭୭ହଜାର ୨୦୪ଜଣ ଛାତ୍ରୀଛାତ୍ର ଫର୍ମ ପୂରଣ କରିଥିଲେ। ସେହିପରି ଜୁନ୍‌ ୮ରେ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳାଫଳ ପ୍ରକାଶ ନେଇ କୁହାଯାଉଥିଲେ ମଧ୍ୟ ପରିଷଦ ପକ୍ଷରୁ ଏ ସମ୍ପର୍କରେ ବିଧିବଦ୍ଧ ଭାବେ ଘୋଷଣା କରାଯାଇନାହିଁ ।