Categories: ଜାତୀୟ

ନିର୍ବାଚନ ପୂର୍ବରୁ ହାତ ଛାଡ଼ି ଫୁଲ ଧରିଲେ ଦୁଇ ବିଧାୟକ

ନୂଆଦିଲ୍ଲୀ,୨୮।୧୨: ପଞ୍ଜାବର ଦୁଇ ବିଧାୟକ କଂଗ୍ରେସ ଛାଡ଼ି ମଙ୍ଗଳବାର ଭାଜପାରେ ଯୋଗ ଦେଇଛନ୍ତି। ଦୁଇ ବିଧାୟକଙ୍କ ମଧ୍ୟରେ ରହିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଏମ୍‌ପି ପ୍ରତାପ ବାଜଓ୍ବାଙ୍କ ଭାଇ ଫତେ ଜଙ୍ଗ ସିଂ ବାଜଓ୍ବା।

ଜଙ୍ଗ ବାଜଓ୍ବା ହେଉଛନ୍ତି ପଞ୍ଜାବର କ୍ୱାଦିଆନ ଆସନର ବିଧାୟକ। ସେ ଭାଜପାରେ ଯୋଗ ଦେବାରୁ ଏହି ନିର୍ବାଚନ ମଣ୍ଡଳୀରେ ଦୁଇ ଭାଇଙ୍କ ମଧ୍ୟରେ ପ୍ରତିନ୍ଦ୍ୱନ୍ଦିତା ହେବ ବୋଲି ସ୍ଥିର ହୋଇଛି। ପ୍ରତାପ ବାଜଓ୍ବା ସେହି ଆସନରୁ ନିର୍ବାଚନ ଲଢ଼ିବାକୁ ଇଚ୍ଛା ପ୍ରକଟ କରିଛନ୍ତି।

ନିକଟରେ ଏକ ରାଲି ବେଳେ କଂଗ୍ରେସର ସଭାପତି ନବଜୋତ ସିଂ ସିଦ୍ଧୁ କ୍ୱାଦିଆନ ଆସନ ଲାଗି ଫତେହ ବାଜଓ୍ବାଙ୍କୁ ଦଳର ପ୍ରାର୍ଥୀ ଘୋଷଣା କରିଥିଲେ। କିନ୍ତୁ ଏହି ଘୋଷଣା ପରେ ସେହି ଆସନରୁ ଲଢ଼ିବା ପାଇଁ ଇଚ୍ଛୁକ ଥିବା ଦଳକୁ ସ୍ପଷ୍ଟ ଭାବେ ଜଣାଇଥିଲେ ପ୍ରତାପ ବାଜଓ୍ବା। ବଡ଼ ଭାଇ ଠାରୁ ଟିକେଟ ଦୌଡ଼ରେ ପରାଜୟ ଭୟରେ ଫତେ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ତାଙ୍କ ସହ କଂଗ୍ରେସ ଛାଡ଼ିଛନ୍ତି ହରଗୋବିନ୍ଦପୁର ଆସନରୁ ବିଧାୟକ ଥିବା ବଲବିନ୍ଦର ସିଂ ଲାଡ୍ଡି। ଗତ ସପ୍ତାହରେ ଆଉ ଜଣେ କଂଗ୍ରେସ ବିଧାୟକ ରାଣା ଗୁର୍ମୀତ ସୋଧି ଭାଜପାରେ ଯୋଗ ଦେଇଥିଲେ। କୌତୁହଳର କଥା ହେଲା ଯେ, ଏହି ୩ ବିଧାୟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ଘନିଷ୍ଠ ଥିଲେ। କିନ୍ତୁ ସେମାନେ ଅମରିନ୍ଦରଙ୍କ ଦଳ ପଞ୍ଜାବର ଲୋକ କଂଗ୍ରେସ ବଦଳରେ ଭାଜପାରେ ସାମିଲ ହୋଇଛନ୍ତି।

Share