ପାଟଣାରେ ପୁଣି ୨ କରୋନା ପଜିଟିଭ୍‌: ଆକ୍ରାନ୍ତଙ୍କ ସଂଖ୍ୟା ୧୦ରେ ପହଞ୍ଚିଲା

ପାଟଣା,୨୮ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତର ଜଣେ ୧୯ ବର୍ଷୀୟ ଯୁବକ ଓ ବୁଢ଼ୀକାପୁଡ଼ି ପଞ୍ଚାୟତର ଜଣେ ୧୮ ବର୍ଷୀୟ ଯୁବକ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ରବିବାର ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଏଥିସହ ପାଟଣା ବ୍ଲକରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ରେ ପହଞ୍ଚିଛି। ଏହି ଯୁବକ ଦ୍ୱୟ ଉକ୍ତ ପଞ୍ଚାୟତର କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହୁଥିଲେ। ଡୁମୁରିଆ ପଞ୍ଚାୟତ ଯୁବକ ତାମିଲନାଡୁରୁ ଆସିଥିବା ବେଳେ ବୁଢ଼ୀକାପୁଡ଼ି ପଞ୍ଚାୟତ ଯୁବକ ଜଣକ ବାଙ୍ଗାଲୋରରୁ ଆସି ପଞ୍ଚାୟତ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହିଥିଲେ। ଉଭୟଙ୍କୁ ପ୍ରଶାସନ ପକ୍ଷରୁ ଡା. ଶୁଭେନ୍ଦୁ ସାଗର କୁମାର ନାଏକ, ଡା. ପଦ୍ମଲୋଚନ ପାତ୍ର,ତୁରୁମୁଙ୍ଗା ଥାନାଧିକାରୀ ବରେନ୍ଦ୍ର ଶିଆଲ ଓ ପାଟଣା ସ୍ବାସ୍ଥ୍ୟକେନ୍ଦ୍ରର ବିପିଏମ୍‌ ଦୀପକ ନାୟକଙ୍କ ଉପସ୍ଥିତିରେ କେନ୍ଦୁଝର ରାଙ୍କିସ୍ଥିତ କୋଭିଡ୍‌ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଛି।