୩ ଇଞ୍ଜେକ୍ସନ ଦେବାରୁ ୨ ମାସର ଶିଶୁ ମୃତ

ଦଶମନ୍ତପୁର, ୨୭।୧୦(ଡି.ଏନ.ଏ.): ଏକା ସାଙ୍ଗରେ ୩ଟି ଇଞ୍ଜେକ୍ସନ ଦେବାରୁ ଏକ ୨ ମାସର ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଏ. ମାଲକାନଗିରି ପଞ୍ଚାୟତର କେ. ମାଳିଗୁଡା ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି। ମୃତ ଶିଶୁପୁତ୍ର ଜଣକ ହେଲେ ଗ୍ରାମର ବାଲି ଗୌଡଙ୍କ ପୁଅ ଧନେଶ। ଏନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ସ୍ବାସ୍ଥ୍ୟ ବିଭାଗର ଟିମ୍‌କୁ ଘେରାଉ କରିଥିଲେ।

ବ୍ଳକର ବିଭିନ୍ନ ଗ୍ରାମରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଶିଶୁଙ୍କୁ ବିଭିନ୍ନ ଟିକା ପ୍ରଦାନ କରାଯାଉଛି। ବୁଧବାର କେ. ମାଳିଗୁଡା ଗ୍ରାମରେ କେତେକ ଶିଶୁଙ୍କୁ ଟିକା ପ୍ରଦାନ କରାଯାଇଥିଲା। ବାଲିଙ୍କ ପୁଅ ଧନେଶ ମଧ୍ୟ ଟିକା ନେଇଥିଲେ। ତାଙ୍କୁ ସ୍ବାସ୍ଥ୍ୟକର୍ମୀମାନେ ୩ଟି ଟିକା ଦେଇଥିଲେ। ତେବେ ଟିକା ନେବାର କିଛି ସମୟ ପରେ ଧନେଶଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍‌ ମାଳିଗୁଡା ଗ୍ରାମରେ ପହଞ୍ଚି ଥିଲେ। ତାଙ୍କୁ ଉତ୍ତ୍ୟକ୍ତ ଲୋକେ ଘେରାଉ କରିଥିଲେ। ପରେ ସରପଞ୍ଚ ଓ ଅନ୍ୟ କେତେଜଣ ବ୍ୟକ୍ତି ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଥିଲେ। ସିଏଚ୍‌ଓ ସ୍ବାଗତିକା ନାୟକ ଶିଶୁକୁ ଦେଇଥିବା ଟିକା ସମ୍ପର୍କରେ ପରିବାର ଲୋକଙ୍କୁ ବୁଝାଇଥିଲେ। ସେ କହିଥିଲେ ଯେ, ଶିଶୁମାନଙ୍କ ସ୍ବାସ୍ଥ୍ୟ ଭଲ ରହିବା ନେଇ ରୋଗ ପ୍ରତିଷେଧକ ଟିକା ଦେଇଛୁ। ଦେଢ ବର୍ଷରୁ ସାଢ଼େ ଦୁଇ ବର୍ଷ ମଧ୍ୟରେ ଥିବା ଶିଶୁଙ୍କୁ ଓପିଭି-୧ , ରଟା-୧, ପେଣ୍ଟା-୧, ଆଇପିଭି ଏବଂ ପିସିଭି ଭଳି ଟିକା ଓ ପୋଲିଓ ବୁନ୍ଦା ପ୍ରଦାନ କରାଯାଇଥାଏ। ଏହାଦ୍ବାରା ଶିଶୁମାନଙ୍କୁ ଆଉ କୌଣସି ରୋଗ ଆକ୍ରମଣ କରିବ ନାହିଁ। ମାତ୍ର ଇଞ୍ଜେକ୍ସନ ଦ୍ବାରା ଶିଶୁଙ୍କ ମୃତ୍ୟୁ ହୋଇନାହିଁ ବୋଲି ସେ ପ୍ରକାଶ କରିଛନ୍ତି। ଯଦି ଶିଶୁଙ୍କୁ ଶୁଆଇ ସ୍ତନ୍ୟପାନ କରାଇଲେ ହଠାତ୍‌ ଗଳାରେ କ୍ଷୀର ଲାଗିଯିବ, ସେଥିରେ ଶିଶୁମାନେ ଅଣନିଃଶ୍ୱାସୀ ହୋଇ ମୃତ୍ୟୁ ହେବା ସମ୍ଭାବନା ରହିଛି ବୋଲି ସେ କହିଥିଲେ। ଏସମ୍ପର୍କରେ ପୋଡ଼ାଗଡ଼ ଡାକ୍ତର ପ୍ରିୟରଞ୍ଜନ ମିଶ୍ରଙ୍କୁ ପଚାରିବାରୁ ସେ କହିଥିଲେ, ବୁଧବାର କେ. ମାଳିଗୁଡା ଗ୍ରାମ ସହ ଗରଡାମୁଣ୍ଡ ଗ୍ରାମରେ ୧୪ ଜଣ ଶିଶୁ ଓ ୩ ଜଣ ଗର୍ଭବତୀ ମହିଳାଙ୍କୁ ଟିକା ଦିଆଯାଇଥିଲା। ସେମାନଙ୍କ ମଧ୍ୟରୁ ଅନ୍ୟ କାହାର କିଛି ସମସ୍ୟା ହୋଇନାହିଁ। ସମ୍ପୃକ୍ତ ଗ୍ରାମର ଶିଶୁଟିର ଟିକା ନେବା ଦ୍ବାରା ମୃତ୍ୟୁ ହୋଇନାହିଁ। ଅନ୍ୟ କୌଣସି କାରଣ ହୋଇ ଥାଇପାରେ। ମୃତଦେହ ବ୍ୟବଚ୍ଛେଦ ପରେ ଘଟଣା ସ୍ପଷ୍ଟ ହେବ ବୋଲି ଡାକ୍ତର ମିଶ୍ର କହିଥିଲେ। ଅନ୍ୟ ପକ୍ଷରେ ଶିଶୁର ମା’ସୁକାନ୍ତି କହିଛନ୍ତି, ଏକାସଙ୍ଗେ ୩ଟି ଇଞ୍ଜେକ୍ସନ ଦେବାକୁ ମୁଁ ମନା କରୁଥିଲି। ସ୍ବାସ୍ଥ୍ୟକର୍ମୀ ମୋ କଥା ଶୁଣିଲେନାହିଁ। ବୟସ ଅନୁସାରେ ଶିଶୁମାନଙ୍କୁ ୩ଟି ଟିକା ଏକା ସାଙ୍ଗରେ ଦେବା ନିୟମ ରହିଛି କହି ଦେଲେ। ମୋ ଛୁଆ ଭଲ ଥିଲା, ଟିକା ନେବାରୁ ମୃତ୍ୟୁ ହେଲା। ଟିକା ନେବାରୁ ଯଦି ମୃତ୍ୟୁ ହୋଇନାହିଁ, ତେବେ କେଉଁ କାରଣରୁ ମୃତ୍ୟୁ ହେଲା ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ।