ଦେବଗଡ,୧୦ା୮(ଶଶାଙ୍କ ଶେଖର ଝାଙ୍କର): ସର୍ପ ଦଂଶନରେ ୨ ମାସର ଶିଶୁପୁତ୍ର ମୃତ, ବାପା ଅସୁସ୍ଥ । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିିଛି ଦେବଗଡ ଜିଲାର ଦୁର୍ଗମ ତଥା ଆଦିବାସୀ ବହୁଳ ଲଇମୁରା ଥାନାଂଚଳର ତିଲେଇମାଳ ଗ୍ରାମରେ । ସୂଚନା ଅନୁଯାୟୀ ତିଲେଇମାଳ ଗ୍ରାମର ରାମଚନ୍ଦ୍ର କିସାନ(୨୮) ଅନ୍ୟଦିନ ମାନଙ୍କ ଭଳି ରବିବାର ରାତ୍ରୀରେ ମଧ୍ୟ ଖିଆପିଆ ସାରି ସ୍ତ୍ରୀ ଓ ୨ ମାସର ଶିଶୁ ପୁତ୍ର ନିତେଶ କିସାନ ସହିତ ଘର ବାରଣ୍ଡାରେ ଚଟାଣ ଉପରେ ଶୋଇଥିଲେ । ସୋମବାର ସକାଳେ ରାମଚନ୍ଦ୍ର ନିଦରୁ ଉଠି ନିତେଶଙ୍କ ଦେହ ଥଣ୍ଡା ପଡିଯାଇଥିବା ଓ ମୃତ୍ୟୁ ଘଟି ସାରିଥିବା ଜାଣିବାକୁ ପାଇଥିଲେ । କ’ଣ ହୋଇଛି କ’ଣ ନାହିଁ ଏକଥା ଚିନ୍ତା କରିବା ପୂର୍ବରୁ ରାମଚନ୍ଦ୍ର ହଠାତ ଅସୁସ୍ଥ ଅନୁଭବ କରିବା ସହ ତାଙ୍କର ବାନ୍ତି ମଧ୍ୟ ହୋଇଥିଲା । ପାରିପାର୍ଶ୍ୱିକ ପରିସ୍ଥିତିରୁ ସର୍ପାଘାତରେ ଶିଶୁ ପୁତ୍ରର ମୃତ୍ୟୁ ଘଟିଥିବା ପରିବାର ଲୋକେ ଆଶଙ୍କା କରୁଥିବା ବେଳେ ରାମଚନ୍ଦ୍ରଙ୍କ ପାଦର ଉପର ପାର୍ଶ୍ୱରୁ ରକ୍ତ ବୋହୁଥିବା ଦେଖିବାକୁ ପାଇ ଭୟଭୀତ ହୋଇପଡିଥିଲେ । ଏଥିସହ ସର୍ପାଘାତ ଅଶଙ୍କା କରି ଫୁଙ୍କାଝଡା ନିମନ୍ତେ ସେ ନିକଟସ୍ଥ ଟିପେରସିଙ୍ଘା ଗ୍ରାମର ଜଣେ ତଥା କଥିତ ଗୁଣିଆ ନିକଟକୁ ନେଇଥିଲେ । ତଥାକଥିତ ଗୁଣିଆ ଜଣକ ରାମଚନ୍ଦ୍ରଙ୍କ ସୁସ୍ଥ କରିଦେଇଥିବା ପ୍ରକାଶ କରିବାପରେ ରାମଚନ୍ଦ୍ର ନିଜ ଘରକୁ ଫେରିଆସିବାସହ ଗୁଣିଆ ଦ୍ୱାରା ମୃତ ଶିଶୁପୁତ୍ରର ଫୁଙ୍କାଝଡା କରାଇଥିଲେ । ମାତ୍ର କୌଣସି ସୁଫଳ ନମିଳିବାରୁ ଶିଶୁଟିକୁ ନିଜ ଚାଷଜମିରେ ଗାତଖୋଳି ପୋତି ଦେଇଥିଲେ । ଏହା ସତ୍ତ୍ୱେ ରାମଚନ୍ଦ୍ର ଚିକିତ୍ସା ନିମନ୍ତେ ଡାକ୍ତରୀ ଚିକିତ୍ସାର ସହାୟତା ନେଇନଥିଲେ । ତେବେ ଶିଶୁଟିର ମୃତ୍ୟୁ ଘଟିଥିବା ସୂଚନା ପାଇ ଉକ୍ତ ଗ୍ରାମର ଅଙ୍ଗନୱାଡି କର୍ମୀ ଓ ଆଶାକର୍ମୀ ଡାକ୍ତରଖାନାକୁ ଯାଇ ଚିକିତ୍ସିତ ହେବାକୁ ପରାମର୍ଶ ଦେଇଥିଲେ । ଫଳରେ ଅନିଚ୍ଛା ସତ୍ତ୍ୱେ ରାମଚନ୍ଦ୍ର ଚିକିତ୍ସା ପାଇଁ ତିଲେଇବଣି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ଦେବଗଡ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା ଓ ସେ ଏବେ ମଧ୍ୟ ସେଠାରେ ଚିକିତ୍ସାଧିନ ଥିବା ଜଣାପଡିଛି । ସୂଚନା ପାଇ ଲଇମୁରା ଥାନା ପୋଲିସ ସନ୍ଧ୍ୟାରେ ତିଲେଇମାଳ ସ୍ଥିତ ରାମଚନ୍ଦ୍ରଙ୍କ ଘରେ ପହଂଚି ଘଟଣାର ତଦନ୍ତ କରିବାସହ ବ୍ୟବଚ୍ଛେଦ ନିମନ୍ତେ ଶିଶୁଟିର ମୃତଦେହ ଚାଷଜମିର ମାଟିରୁ ଖୋଳି ବାହାର କରିଥିବା ସୂଚନା ମିଳିଛି। ଏ ଘଟଣା ସମଗ୍ର ଦେବଗଡ ଜିଲାରେ ମୁଖ୍ୟ ଚର୍ଚ୍ଚାର ବିଷୟ ସାଜିଛି । ସୂଚନା ଯୋଗ୍ୟ ଯେ, କାମୁଡି ଥିବା ସାପଟିକୁ ରାମଚନ୍ଦ୍ର କିମ୍ବା ତାଙ୍କର ପରିବାରର କୌଣସି ସଦସ୍ୟ ସଦସ୍ୟା ଦେଖିନଥିବା ରାମଚନ୍ଦ୍ର ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି ।