ଯାତ୍ରା ଦେଖି ଫେରୁଥିବା ବେଳେ ଝାମ୍ପି ନେଲେ ମୋବାଇଲ: ୨ ଗିରଫ

ରାଇରଙ୍ଗପୁର,୧୬।୩(ଡି.ଏନ୍‌.ଏ.): ମୟୁରଭଞ୍ଜ ଜିଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନ କୁସୁମି ବ୍ଳକର ମୟୂଦର ପଞ୍ଚାୟତ ବାଲିଆଢିପା-ସୁଲାଇପାଟ ରାସ୍ତାରେ ୨ସାଙ୍ଗଙ୍କ ମୋବାଇଲ ଫୋନ ଲୁଟ୍‌ ଘଟଣାରେ ପୋଲିସ ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ପଡ଼ୋଶୀ ଝାଡ଼ଖଣ୍ଡ ରାଜ୍ୟର ପଶ୍ଚିମ ସିଂହଭୂମି ଜିଲାର ମଝିଗାଁ ଅଞ୍ଚଳର ମହମ୍ମଦ ଅଶାଦୁଲ୍ଲା(୩୫) ଏବଂ ମହମ୍ମଦ ଫୈଜଲ(୪୧)। ପୋଲିସ ତାଙ୍କଠାରୁ ଚୋରି ହୋଇଥିବା ୨ଟି ମୋବାଇଲ ଫୋନ ସହ ଲୁଟ ଘଟଣାରେ ବ୍ୟବହୃତ ହୋଇଥିବା ବାଇକ୍‌ ଜବତ କରଛି।

ମିଳିଥିବା ସୂଚନା ମୁତାବକ, ବୁଧବାର ବାଦାମ ପାହାଡ଼ ଥାନା ଅଧୀନ ମୟୂରଦର ଗ୍ରାମର ଲାଲୁ ସୋରେନ ଏବଂ ପିଥ ମାଝୀ ଦୁଇ ସାଙ୍ଗ ବାଲିଆଢିପାକୁ ଯାତ୍ରା ଦେଖି ସୁଲାଇପାଟ ରାସ୍ତାରେ ସାଇକେଲ ଯୋଗେ ଫେରୁଥିଲେ। ସେତିକିବେଳେ ୨ଜଣ ଲୁଟେରା ଏକ ବାଇକ୍‌ରେ ଆସି ସେମାନଙ୍କଠାରୁ ମୋବାଇଲ ଫୋନ ଛଡ଼ାଇ ଫେରାର ହୋଇଯାଇଥିଲେ। ଏନେଇ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗକୁ ଭିତ୍ତି କରି ଏକ ମାମଲା (ନଂ.୬୦/୨୩) ରୁଜୁ କରିଥିଲା। ଗ୍ରାମାଞ୍ଚଳ ଥାନା ଅଧିକାରୀ ଘଟଣାର ତଦନ୍ତ କରିଥିଲେ। ଏପରିକି ପୋଲିସ ଟିମ୍‌ କୁସୁମି ଗ୍ରାମରେ ଜନୈକ ଘରେ ଚଢ଼ାଉ କରି ୨ଜଣ ଲୁଟେରାଙ୍କୁ ଗିରଫ କରିବା ସହ ଚୋରି ହୋଇଥିବା ମୋବାଇଲ ଜବତ କରିଥିଲା। ଗୁରୁବାର ଗିରଫ ଅଭିଯୁକ୍ତମାନଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି।