ଗାଧୋଇବାକୁ ଯାଇ ଆଉ ଫେରିଲେନି ୨ ନାବାଳିକା

ବାଲେଶ୍ୱର,୨୯।୯(ମାନସବିଶ୍ୱାଳ): ବାଲେଶ୍ୱର ଜିଲା ସଦର ଥାନା ଅନ୍ତର୍ଗତ ଓଡଙ୍ଗିଗାଁରେ ଶୁକ୍ରବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଓଡ଼ଙ୍ଗି ଗାଁ ପୋଖରୀକୁ ୨ ନାବାଳିକା ସାଙ୍ଗ ହୋଇ ଗାଧୋଇବା ପାଇଁ ଯାଇଥିଲେ। ହେଲେ ଅସାବଧାନତାବଶତଃ ଦୁହେଁ ପୋଖରୀରେ ବୁଡ଼ିଯାଇଥିଲେ। ପରେ ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଉଭୟଙ୍କୁ ମୃତ ଘୋଷଣା କରାଯାଇଥିଲା। ମୃତ ନାବାଳିକା ହେଲେ ସନ୍ତୋଷ ଦାସଙ୍କ ୧୩ ବର୍ଷର ଝିଅ ତନୁଶ୍ରୀ ଏବଂ ବିଶ୍ବଜିତ ଦାଶଙ୍କ ୧୪ ବର୍ଷର ଝିଅ ତପସ୍ବନୀ । ଏହି ଖବର ପ୍ରଚାରିତ ହେବା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି। ସ୍କୁଲ ଯିବାପାଇଁ ସାଙ୍ଗ ହୋଇ ଗାଁ ପୋଖରୀକୁ ଗାଧୋଇ ଯାଇଥିଲେ।
ଦୁଇ ଜଣ ପହଁରା ଜାଣି ନ ଥିବାରୁ ପାଣିରେ ବୁଡି ଯାଇଥିଲେ। ଫେରିବା ବିଳମ୍ବ ହେବାରୁ ଖୋଜାଖୋଜି ଆରମ୍ଭ ହୋଇଥିଲା। ପୋଖରୀ ତୁଠରେ ଦୁଇ ଜଣଙ୍କ ଡ୍ରେସ ପଡ଼ିଥିଲା। ପରେ ପରିବାର ଓ ସାହିପଡିଶା ଲୋକେ ସେମାନଙ୍କୁ ପୋଖରୀରୁ ଉଦ୍ଧାର କରି ବାଲେଶର ଡାକ୍ତରଖାନାକୁ ନେଇଥିଲେ। ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ।