ପାଟ୍ରୋଲିଂ ଗାଡ଼ି ଚକାତଳେ ଗଲା ୨ ନାବାଳକଙ୍କ ଜୀବନ

କୁଆଁରମୁଣ୍ଡା,୧୩ା୪(ଡି.ଏନ୍‌.ଏ.): ଇଣ୍ଡିଆନ ଅଏଲ କର୍ପୋରେଶନ ଲିଃ(ଆଇଓସିଏଲ)ର ପାଟ୍ରୋଲିଂ କରୁଥିବା ଏକ ବୋଲେରୋ ମଙ୍ଗଳବାର ରାତିରେ ବୀରମିତ୍ରପୁର ଥାନା ଅନ୍ତର୍ଗତ ପାକେରଲଙ୍ଗର-କୁଦାବେଡ଼ା ରାସ୍ତାରେ ୨ ନାବାଳକଙ୍କ ଉପରେ ଚଢ଼ାଇ ଫେରାର ହୋଇଯାଇଛି। ନାବାଳକଦ୍ୱୟଙ୍କ ପାଟି ଶୁଣି ଗ୍ରାମବାସୀ ଘଟଣାସ୍ଥଳକୁ ଆସିବା ସହ ଚିକତ୍ସା ନିମନ୍ତେ ତୁରନ୍ତ ଉଭୟଙ୍କୁ ରାଉରକେଲାସ୍ଥିତ ଏକ ହସ୍ପିଟାଲକୁ ନେଇଥିଲେ। ସେଠାରେ ଉଭୟଙ୍କର ଅବସ୍ଥା ସଙ୍କଟାପନ୍ନ ଥିବା ଦେଖି ଡାକ୍ତର ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ମାତ୍ର ବାଟରେ ଉଭୟଙ୍କର ମୃତ୍ୟୁ ହୋଇଯାଇଛି। ଖବର ପାଇ ବୀରମିତ୍ରପୁର ପୋଲିସ ମୃତଦେହ ଦୁଇଟିକୁ ରାଉରକେଲା ଶବାଗାରରେ ରଖିଛି। ମୃତ ନାବାଳକଦ୍ୱୟ ହେଉଛନ୍ତି କୁଦାବେଡ଼ାର ମୃତ ବ୍ଲାସିୟସ ଡୁଙ୍ଗଡୁଙ୍ଗଙ୍କ ପୁଅ ଅଜିତ୍‌ ଡୁଙ୍ଗଡୁଙ୍ଗ(୧୭) ଓ ଦୀପକ ଟେଟେଙ୍କ ପୁଅ ଦୀପ୍‌ସାନ ଟେଟେ(୧୪)। ଏହି ଖବର ପ୍ରଚାରିତ ହୋଇଯିବା ପରେ ବୁଧବାର ସକାଳଠାରୁ ମୃତକଦ୍ୱୟଙ୍କ ପରିବାରବର୍ଗ ଓ ଗ୍ରାମବାସୀ ପାକେରଲଙ୍ଗର-ଦୁମାଙ୍ଗଦିରି ଗ୍ରାମ୍ୟରାସ୍ତା ଅବରୋଧ କରିଛନ୍ତି। ରିିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ଆଇଓସିଏଲର କୌଣସି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନ ଥିବାରୁ ଉତ୍ତେଜନା ଲାଗି ରହିଛି। ବୀମରିତ୍ରପୁର ପୋଲିସ ଏକ ପ୍ଲାଟୁନ ଫୋର୍ସ ଘଟଣାସ୍ଥଳରେ ମୁତୟନ କରି ପରିସ୍ଥିତି ଉପରେ ତୀକ୍ଷ୍‌ଣ ନଜର ରଖିଛି ା ଏପରିକି ଘଟଣାସ୍ଥଳରେ କୁଆଁରମୁଣ୍ଡା ବ୍ଲକ ଜିଲା ପରିଷଦ ସଭ୍ୟ ରାଜେନ୍ଦ୍ର କୁଜୁର,କୁମଝରିଆ ଓ୍ବାର୍ଡ ସଭ୍ୟ ମୁକେଶ ମାହାଳି, ଗୋକୁଳ ରାୟ, କୁଆଁରମୁଣ୍ଡା ସରପଞ୍ଚ ରାଜେଶ ହାଁସଦା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଅବରୋଧରେ ସାମିଲ ଅଛନ୍ତି। ଏପରିକି ଉଭୟ ପରିବାରକୁ ୧୫ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ଦେବାକୁ ମୃତ ଦୀପସାନଙ୍କ ମା’ ପ୍ରତିମା ଟେଟେ ଦୃଢ଼ ଦାବି କରିଛନ୍ତି।

ସୂଚନାଥାଉକି,ମୃତ ଦୀପସାନ ନିକଟସ୍ଥ ପାକେରଲଙ୍ଗର ସ୍କୁଲରେ ୮ମ ଶ୍ରେଣୀର ଛାତ୍ର ଥିଲେ। ଘଟଣାଦିନ ପ୍ରବଳ ଗରମ ଯୋଗୁ ମୃତକଦ୍ୱୟ ଉକ୍ତ ରାସ୍ତାର ଏକ ପାର୍ଶ୍ୱରେ ବସିଥିବା ବେଳେ ପାଟ୍ରୋଲିଂ କରୁଥିବା ଉକ୍ତ କମ୍ପାନୀ ବୋଲେରୋଟି ଦ୍ରୁତ ଗତିରେ ଯାଇ ହଠାତ୍‌ ତାଙ୍କ ଉପରେ ଚଢ଼ାଇ ଫେରାର ହୋଇଯାଇଥିଲା।