୨ ମାଟ୍ରିକ ପଢୁଆ ଛାତ୍ରୀଙ୍କୁ ଅପହରଣ, ଘରେ ପଡ଼ିଛି ଭାଳେଣି: ଖୋଜୁଛି ପୋଲିସ

ଦିଗପହଣ୍ଡି,୫।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର ଜଣେ ମାଟ୍ରିକ ପଢୁଥିବା ଛାତ୍ରୀ(୧୬)ଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଛାତ୍ରୀଙ୍କ ବାପା ଦିଗପହଣ୍ଡି ଥାନାରେ ଏତଲା ଦେବାପରେ ଆଇଆଇସି କିଶୋର କୁମାର ସାମଲ ମାମଲା ନଂ.୧୯୩/୨୬ ଭାରତୀୟ ନ୍ୟାୟ ସଂହିତାର ଦଫା – ୧୩୭(୨) ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି। ଛାତ୍ରୀ ଜଣକ ଟ୍ୟୁସନ ଯିବା ଆସିବା କରିବାବେଳେ ଗାଁ ଇ.ଶିବରାମ ପାତ୍ର ରାସ୍ତାରେ ତାଙ୍କୁ ଅଟକାଇ ନିୟମିତ ଭାବେ କଥାବାର୍ତ୍ତା କରୁଥିବା ନେଇ ଗ୍ରାମର କିଛି ବ୍ୟକ୍ତିଙ୍କ ଠାରୁ ସୂଚନା ପାଇବା ପରେ ଛାତ୍ରୀଙ୍କୁ ତାଙ୍କ ବାପା ଗତ ପ୍ରାୟ ୬ ମାସ ପୂର୍ବେ ତାଗିଦ କରିଥିଲେ।
ଗତ ୨୮ ତାରିଖ ଭୋର ପ୍ରାୟ ୫ଟାରୁ ଛାତ୍ରୀ ଜଣକ ଘରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ତାଙ୍କୁ ବିଭିନ୍ନ ଗ୍ରାମକୁ ଯାଇ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କ ସନ୍ଧାନ ମିଳିପାରିନାହିଁ। ଶିବରାମ ଛାତ୍ରୀଙ୍କୁ ଏକ ମୋବାଇଲ ଫୋନ ଦେଇଥିବା ଜଣାପଡିଥିଲା। ଘଟଣା ପରଠାରୁ ଶିବରାମ ମଧ୍ୟ ଗାଁରେ ଅନୁପସ୍ଥିତ ଅଛନ୍ତି। ତେଣୁ ସେ ହିଁ ବିଭିନ୍ନ ପ୍ରଲୋଭନ ଦେଖାଇ ତାଙ୍କ ଝିଅକୁ ଅପହରଣ କରି କେଉଁଆଡ଼େ ନେଇଯାଇଥିବା ନେଇ ଏତଲାରେ ଉଲ୍ଲେଖ ରହିଛି ।

ସେହିପରି ଦିଗପହଣ୍ଡି ଥାନା ଅଧିନ ଅନ୍ୟଏକ ଗାଁର ଜଣେ ମାଟ୍ରିକ ପଢୁଥିବା ୧୫ ବର୍ଷୀୟା ନାବାଳିକା ଛାତ୍ରୀ ଗତ ଗୁରୁବାର ସକାଳୁ ଘରୁ ନିଖୋଜ ହୋଇଯାଇଛନ୍ତି। ମା’ ପୋଖରୀକୁ ଗାଧୋଇ ଯାଇଥିବା ବେଳେ ବାପା ପରିବା ଆଣିବାକୁ ବଜାର ଯାଇଥିଲେ। ନାବାଳିକା ଝିଅ ଏକୁଟିଆ ଘରେ ଥିଲେ। ମା’ ପୋଖରୀରୁ ଫେରିବା ପରେ ଘରେ ଝିଅ ନ ଥିବା ଦେଖି ସ୍ବାମୀଙ୍କୁ ଜଣାଇଥିଲେ। ପରିବାର ଲୋକେ ସମ୍ପର୍କୀୟ ମାନଙ୍କ ସହ ମିଶି ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କ ସନ୍ଧାନ ମିଳି ନ ଥିଲା। ପରେ ବାପା ଏନେଇ ଥାନାରେ ଏତଲା ଦେବାପରେ ଆଇଆଇସି କିଶୋର କୁମାର ସାମଲ ମାମଲା ନଂ.୧୯୭/୨୬ ଭାରତୀୟ ନ୍ୟାୟ ସଂହିତା ର ଦଫା – ୧୩୭(୨) ଅନୁଯାୟୀ. ମକଦ୍ଦମା ରୁଜୁ କରି ତଦନ୍ତ ନିମନ୍ତେ ଏସ.ଆଇ ସୋଫିଆ ମିଶ୍ରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

 

Dharitri – Odisha’s No.1 Odia Daily

 

Share