ଏନ୍‌କାଉଣ୍ଟରରେ ୨ ମାଓବାଦୀ ନିହତ ଘଟଣା: ମୃତ ଧନ ମାଓବାଦୀ ନୁହେଁ, ଶ୍ରମିକ ଥିଲେ

କୋରାପୁଟ/ଜୟପୁର/,୧୩।୧୧(ସ୍ବ.ପ୍ର./ନି.ପ୍ର.): କୋରାପୁଟ ଜିଲାର ବୈପାରିଗୁଡ଼ା ଥାନା ଅନ୍ତର୍ଗତ ମାଳିପଦର ଜଙ୍ଗଲରେ ଗୁରୁବାର ରାତିରେ ଏସ୍‌ଓଜି ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୨ ମାଓବାଦୀଙ୍କର ମୃତ୍ୟୁ ହୋଇଥିଲା। ସେମାନଙ୍କ ମଧ୍ୟରୁ ଶନିବାର ଜଣଙ୍କର ମୃତଦେହ ସମ୍ପୃକ୍ତ ମାଓବାଦୀଙ୍କ ପରିବାର ଲୋକେ ଚିହ୍ନଟ କରିବା ସହ ଗୁରୁତର ଅଭିଯୋଗ ଆଣିଛନ୍ତି। ମୃତକ ହେଲେ ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ଭେଜାଗଡ଼ା ପଞ୍ଚାୟତ ସର୍ଗିଗୁଡ଼ା ଗ୍ରାମର ଧନ କମାର (୪୧)। ସେ ମାଓବାଦୀ ନୁହେଁ, ଜଣେ ଶ୍ରମିକ ଥିଲେ ବୋଲି ଏଠାରେ ପରିବାର ଲୋକେ ଗଣମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି। ଧନ ଭେଜାଗୁଡ଼ାର ୬ ଜଣ ଓ କୋଟପାଡ଼ ଅଞ୍ଚଳର ୩ ଶ୍ରମିକଙ୍କ ସହ ଗଞ୍ଜେଇ ବେପାରୀଙ୍କ ନିକଟରୁ କାଉଡ଼ିରେ ଗଞ୍ଜେଇ ନେଇ କୋରାପୁଟ ଜିଲାର ମାଳିପଦର ଜଙ୍ଗଲ ଦେଇ କୋଟପାଡ଼ ଅଞ୍ଚଳକୁ ଯାଉଥିବା ବେଳେ ସୁରକ୍ଷାକର୍ମୀଙ୍କ ଗୁଳିର ଶିକାର ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି। ଏ ନେଇ ସେମାନେ ମାନବିକ ଅଧିକାର କମିଶନଙ୍କ ଦ୍ୱାରସ୍ଥ ହେବେ ବୋଲି ସାମାଜିକ କର୍ମୀ ଶରତ ଚନ୍ଦ୍ର ବୁରୁଦା କହିଛନ୍ତି। ସେହିପରି ଧନଙ୍କ ଗାଁ ଲୋକେ ମଧ୍ୟ ଏହି ଘଟଣାରେ ନ୍ୟାୟ ପାଇଁ ମାନବିକ ଅଧିକାର କମିଶନଙ୍କ ଦ୍ୱାରସ୍ଥ ହେବେ ବୋଲି ପ୍ରକାଶ କରିଛନ୍ତି। ଏ ପର୍ଯ୍ୟନ୍ତ ଅନ୍ୟ ଜଣେ ମୃତକଙ୍କର ପରିଚୟ ମିଳିପାରିନାହିଁ।
ସୂଚନାଯୋଗ୍ୟ, ଗୁରୁବାର ରାତିରେ କୋରାପୁଟ ଏସ୍‌ଓଜିର ଏକ ଟିମ୍‌ ବୈପାରିଗୁଡ଼ା ଥାନା ଅନ୍ତର୍ଗତ ଅଟାଳଗୁଡ଼ା, ମାଳିପଦର, ବଦଳିପାହାଡ଼ ଗ୍ରାମ ନିକଟସ୍ଥ ଜଙ୍ଗଲରେ ମାଓବାଦୀ ବିରୋଧୀ ଅଭିଯାନ ଚଳାଇଥିଲେ। ମାଳିପଦର ଜଙ୍ଗଲରେ ପୋଲିସକୁ ଦେଖି ମାଓବାଦୀମାନେ ଗୁଳି ଚଳାଇଥିଲେ। ପରେ ଏସ୍‌ଓଜି ଯବାନମାନେ ମଧ୍ୟ ପାଲଟା ଗୁଳି ଚଳାଇଥିଲେ। ପୋଲିସ ଗୁଳିର ସାମ୍‌ନା କରି ନ ପାରି ସେଠାରେ ଥିବା ୧୦ରୁ ୧୫ ଜଣ ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ। ଏହାପରେ ଯାଞ୍ଚ ସମୟରେ ୨ ମାଓବାଦୀଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା ବୋଲି ଶୁକ୍ରବାର ଡିଆଇଜି ରାଜେଶ ପଣ୍ଡିତ କୋରାପୁଟଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଥିଲେ। ଏଥିସହ ଘଟଣାସ୍ଥଳରୁ ବିପୁଳ ପରିମାଣରେ ବିସ୍ଫୋରକ, ୩ ଦେଶୀ ବନ୍ଧୁକ, ୨ ହଳ ମାଓବାଦୀ ପୋଷାକ, ୫ ଡିଟୋନେଟର, ଗୋଟିଏ ବଣ୍ଡଲ କୋଡେକ୍ସ ତାର, ମୋବାଇଲ ଚାର୍ଜର, ୩ ବୁଲେଟ ଖୋକା, ଗୋଟିଏ ଟିଫିନ ବୋମା, ୧୦ ଜରି ବସ୍ତାରେ ଥିବା ଗଞ୍ଜେଇ , ୫ଟି ପଲିଥିନ ସିଟ୍‌, ମାଓବାଦୀଙ୍କ ପୁସ୍ତକ ଓ ପତ୍ରିକା, ମେଡିସିନ ଆଦି ଜବତ ହୋଇଥିବା ସୂଚନା ଦିଆଯାଇଥିଲା। ପରିଚୟ ମିଳି ନ ଥିବା ବ୍ୟକ୍ତିଙ୍କ ମୃତଦେହ ଜୟପୁର ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କେନ୍ଦ୍ରରେ ରଖାଯାଇଛି। ୭୨ ଘଣ୍ଟା ପରେ କେହି ସମ୍ପର୍କୀୟ ନ ଆସିଲେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହ ବ୍ୟବଚ୍ଛେଦ କରି ପୋତାଯିବ ବୋଲି ପୋଲିସ ସୂଚନା ଦେଇଛି।