ବାହୁଡା ଯାତ୍ରାରେ ଅଘଟଣ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ୨ ଜୀବନ

କେନ୍ଦୁଝର,୨୮।୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାରିଆ ଥାନା ଅଧୀନ କେନ୍ଦୁଆ ଗ୍ରାମରେ ବାହୁଡା ଯାତ୍ରାରେ ଅଘଟଣ ଘଟିଛି। ରଥକୁ ଟାଣି ସାଇଟ୍‌ କରୁଥିବା ବେଳେ ବିଦ୍ୟୁତ୍‌ ଆଘାତରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ମୃତକ ହେଲେ ଭୁବନପଶି ଗ୍ରାମର ଯୁଗଳ ବାରିକ ଏବଂ କେନ୍ଦୁଆ ଗ୍ରାମର ବରୁଣ ଗିରି। ଆହତ ଜଣକ ହେଲେ ନହବେଡ଼ା ଗ୍ରାମର ଶଙ୍କର୍ଷଣ ପ୍ରଧାନ ବୋଲି ଜଣାପଡିଛି। ଚିକତ୍ସା ପାଇଁ ତାଙ୍କୁ କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାକୁ ଭର୍ତ୍ତି କରାଯାଇଛି।

ବାହୁଡା ଯାତ୍ରା ଆରମ୍ଭ ହେବା ପୂର୍ବରୁ ୩ଜଣ ରଥକୁ ପଛକୁ ଟାଣି ସାଇଡ୍‌ କରୁଥିଲେ। ସେତିକିବେଳେ ୧୧କେଭି ବିଦ୍ୟୁତ୍‌ ତାରରେ ରଥ ଲାଗି ଯିବାରୁ ସେମାନଙ୍କୁ ବିଦ୍ୟୁତ୍‌ କରେଣ୍ଟ ଲାଗିଥିଲା। ସ୍ଥାନୀୟ ଲୋକେ ତୁରନ୍ତ ସେମାନଙ୍କୁ ଡାକ୍ତରଖାନାକୁ ନେଇଥିଲେ ହେଁ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଏନେଇ ବାରିଆ ଥାନା ଅଧିକାରିଣୀ ବନ୍ଦନା ପାତ୍ର କହିଛନ୍ତି, ବାହୁଡା ଯାତ୍ରା ଆରମ୍ଭ ପୂର୍ବରୁ ଏହି ଅଘଟଣ ଘଟିଛି । ୩ଜଣ ରଥକୁ ପଛକୁ ଟାଣି ପ୍ରସ୍ତୁତ କରୁଥିଲେ। ସେତିକିବେଳେ ରଥରେ ଉପରେ ଲାଗିଥିବା ଏକ ବାଡି ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଷରେ ଆସିଯାଇଥିଲ। ଫଳରେ ସେମାନେ ଗୁରୁତର ଆହତ ହୋଇଥିଲେ । ସେମାନଙ୍କ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା ବୋଲି ସେ କହିଛନ୍ତି।