ପ୍ରଲୋଭନ ଦେଖାଇ ୨ ଲକ୍ଷ ଲୁଟ୍‌ ମାମଲାର ପର୍ଦ୍ଦାଫାଶ

ଜଗତ୍‌ସିଂହପୁର ଅଫିସ, ୧୮ା୪: ୭୦ ହଜାର ଟଙ୍କା ଦେଲେ, ୧ ଲକ୍ଷ ଟଙ୍କା ମିଳିବ। ଏଭଳି ପ୍ରଲୋଭନ ଦେଖାଇ ଜଗତ୍‌ସିଂହପୁର ଜିଲାର ଜଣେ ବ୍ୟକ୍ତିଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନକୁ ଡକାଇ ତାଙ୍କଠାରୁ ୨ ଲକ୍ଷ ଝାମ୍ପି ନେଇଛନ୍ତି ଲୁଟେରା। ଏହି ମାମଲାରେ ଜଗତ୍‌ସିଂହପୁର ଥାନା ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ କଟକ ଜିଲା କିଶନନଗର ଥାନା ଅନ୍ତର୍ଗତ ଜାହାନପୁର ଗ୍ରାମର ରାଜେଶ କୁମାର ଖୁଣ୍ଟିଆ ଏବଂ ଜଗତ୍‌ସିଂହପୁର ଜିଲା ବିରିଡ଼ି ଥାନା ବୁଢ଼ାପଡ଼ା ଗ୍ରାମର ଅନିଲ କୁମାର ଭୋଇ (୪୬)। ଅନ୍ୟତମ ଅଭିଯୁକ୍ତ ତଥା ବିରିଡ଼ି ଥାନା ବୁଢ଼ାପଡ଼ାର ଶରତ କୁମାର ଦାସ ଓରଫ ବାବୁନା(୩୭)ଙ୍କୁ ପୋଲିସ ଖୋଜୁଥିଲେ ବି ଖବର ଲେଖାହେବା ପର୍ଯ୍ୟନ୍ତ ସନ୍ଧାନ ମିଳିପାରି ନାହିଁ । ଅଭିଯୁକ୍ତଦ୍ୱୟଙ୍କଠାରୁ ନଗଦ ୯୯ ହଜାର ଟଙ୍କା, ୨ ମୋବାଇଲ, ୨ ବାଇକ୍‌ ଓ ଗୋଟିଏ ସୁନା ହାର ଜବତ କରାଯାଇଛି। ରବିବାର ଜଗତ୍‌ସିଂହପୁର ଥାନାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଆଇଆଇସି ପ୍ରଭାସ ଚନ୍ଦ୍ର ସାହୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଅଭିଯୁକ୍ତ ରାଜେଶ, ଅନିଲ ଓ ବାବୁନା ମିଶି ଅଭୟ ମଲ୍ଲିକ ନାମକ ବ୍ୟକ୍ତିଙ୍କ ମୋବାଇଲ ନମ୍ବର ସଂଗ୍ରହ କରି ଲୁଟ୍‌ ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ।
ଯୋଜନା ମୁତାବକ ଶେଖର ମଲ୍ଲିକ ନାମକ ବ୍ୟକ୍ତିଙ୍କୁ ଅଭିଯୁକ୍ତ ଏକ ଖଣି କମ୍ପାନୀରେ କାମ କରୁଥିବା ପରିଚୟ ଦେଇ ୨୦୨୨ ଏପ୍ରିଲ ୧୩ ସନ୍ଧ୍ୟା ୬.୩୦ ସମୟରେ କଲ୍‌ କରିଥିଲେ। ତାଙ୍କୁ କୁହାଯାଇଥିଲା ସେମାନଙ୍କ ପାଖରେ ପ୍ରଚୁର ୧୦୦ ଟଙ୍କିଆ ପୁରୁଣା ନୋଟ ଅଛି। ଏହାକୁ ସେମାନେ ବଦଳ କରିବାକୁ ଚାହୁଁଛନ୍ତି। ପୁରୁଣା ଟଙ୍କା ଅସଲି ହୋଇଥିଲେ ବି ବ୍ୟାଙ୍କ ଗ୍ରହଣ କରୁ ନ ଥିବାରୁ ଅସୁବିଧା ହେଉଛି । ତେଣୁ ଯିଏ ୫୦୦ ଓ ୨୦୦୦ ଟଙ୍କିଆ ଦେବେ ଉପହାର ମିଳିବ। ଅର୍ଥାତ୍‌ ୭୦ ହଜାର ଦେଲେ ୧ ଲକ୍ଷ ଟଙ୍କା ମିଳିବ। ଏଥିରେ ଅଭିଯୋଗକାରୀ ରାଜି ହୋଇଯାଇଥିଲେ। ଯୋଜନା ମୁତାବକ ଅଭିଯୁକ୍ତ ରାଜେଶ, ଅନିଲ ଓ ବାବୁନା ଅଭିଯୋଗକାରୀଙ୍କୁ ସ୍ଥାନୀୟ ଚାରିପଲିଆ ଛକ ନିକଟକୁ ଟଙ୍କା ଅଦଳବଦଳ ବାହାନାରେ ଡାକିଥିଲେ। ଅଭିଯୋଗକାରୀ ସେଠାରେ ପହଞ୍ଚତ୍ଲା ପରେ ନିରୋଳାର ସୁଯୋଗ ନେଇ ଅଭିଯୁକ୍ତମାନେ ତାଙ୍କଠାରୁ ୨ ଲକ୍ଷ ଟଙ୍କା ଛଡାଇ ନେଇ ଫେରାର ହୋଇଯାଇଥିଲେ ବୋଲି ଆଇଆଇସି କହିଛନ୍ତି।