ବୈତରଣୀ ବନ୍ୟା ନିୟନ୍ତ୍ରଣାଧୀନ, ୨ଲକ୍ଷ ୭୦ ହଜାର ୫୧୫ ଲୋକ ପ୍ରଭାବିତ

ଭଦ୍ରକ ଅଫିସ,୩୧।୮: ବୈତରଣୀ ନଦୀରେ ଆସିଥିବା ବନ୍ୟା ନିୟନ୍ତ୍ରଣ ହୋଇଛି। ନଦୀର ଜଳପତ୍ତନ ହ୍ରାସ ପାଇ ବିପଦ ସଂକେତରେ ବହୁ ତଳେ ପ୍ରବାହିତ ହେଉଛି। ତେବେ ଯେଉଁ ବନ୍ୟା ହୋଇଯାଇଛି, ଏଥିରେ ଜିଲାର ୭ଟି ବ୍ଳକ ଓ ୪ଟି ପୌରପାଳିକାର ୧୧୮ଟି ପଂଚାୟତର ୫୮୭ ଗ୍ରାମର ଓ ପୌରପାଳିକାର ୧୦ଟି ୱାର୍ଡ ପ୍ରଭାବିତ ହୋଇଛି । ଏହାଦ୍ୱାରା ୨ଲକ୍ଷ ୭୦ ହଜାର ୫୧୫ଜଣ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ମୋଟ ୧୭ ହଜାର ୬୪୮ ଲୋକଙ୍କୁ ସ୍ଥାନାନ୍ତର କରି ୧୦୬ଟି ବିଭିନ୍ନ କେନ୍ଦ୍ରରେ ରଖାଯାଇଥିବା ବେଳେ ସୋମବାର ସେମାନଙ୍କ ମଧ୍ୟରୁ କିଛି ଲୋକ ନିଜ ଘରକୁ ଫେରି ଯାଇଛନ୍ତି। ୯୬ଟି କେନ୍ଦ୍ରରେ ୧୪ହଜାର ୧୦୦ଜଣ ଏବେ ମଧ୍ୟ ସ୍ଥାନାନ୍ତରିତ କେନ୍ଦ୍ରରେ ରହିଛନ୍ତି । ଜିଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ମାଗଣାରେ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି।

ଉଦ୍ଧାରକାର୍ଯ୍ୟ ପାଇଁ ଏନ୍‌ଡିଆର୍‌ଏଫ, ଓଡ୍ରାଫ ଓ ଅଗ୍ନିଶମ ବାହିନୀ ନିୟୋଜିତ ରହିଛନ୍ତି। ତିହିଡି ଅଞ୍ଚଳରେ ଥିବା ବିଭିନ୍ନ ନଦୀ ବନ୍ଧ ଓ ମୁଖ୍ୟ ରାସ୍ତା ହିଁ ଏବେ ଗୋରୁ ଗାଈ ତଥା ଲୋକଙ୍କ ଅସ୍ଥାୟୀ ବାସସ୍ଥାନ ପାଲଟିଛି। ଧାମନଗର, ଭଣ୍ଡାରିପୋଖରୀ ଓ ତିହିଡି ବ୍ଳକରେ ୨୩ଟି ବୋଟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛି। ବନ୍ୟାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ସେମାନେ ହେଲେ ଭଣ୍ଡାରିପୋଖରୀ ବ୍ଲକର ରହଣିଆ ପଞ୍ଚାୟତର ହରିହର ସାମଲ, ଷୋଳମପୁର ପଞ୍ଚାୟତର ବ୍ରାହ୍ମଣପଦା ଗ୍ରାମର ସନ୍ଦୀପ ରାଉତ ଏବଂ ଧାମନଗର ବ୍ଲକର ହେମନ୍ତ ଜେନା। ଏହି ବନ୍ୟାରେ ୬୮ହଜାର ୨୮୪ ପଶୁ ପ୍ରଭାବିତ ହୋଇଛନ୍ତି। ୪ଟି ପଶୁର ମୃତ୍ୟୁ ଘଟିଛି। ପ୍ରାଥମିକ ଆକଳନ ଅନୁଯାୟୀ ୩୮ହଜାର ୭୦୭ ହେକ୍ଟର ଜମିର ଫସଲ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି । ୭ଟି ଯାକ ବ୍ଲକର ବନ୍ୟା ଅଞ୍ଚଳରେ ଭ୍ରାମ୍ୟମାଣ ମେଡିକାଲ ଟିମ ନିୟୋଜନ ହେବା ସହିତ ବିଭିନ୍ନ ବ୍ଳକ ଅଞ୍ଚଳରେ ମଧ୍ୟ ମେଡିକାଲ ଟିମ ରହି ପ୍ରଭାବିତଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଜାରି ରଖିଛନ୍ତି। ଯୁଦ୍ଧକାଳୀନ ଭିତ୍ତିିରେ ପ୍ରଭାବିତ ଅଞ୍ଚଳର ନଳକୂପକୁ ବିଶୋଧନ କରାଯାଇ ପିଇବା ଉପଯୋଗୀ କରାଯାଉଛିତ। ପ୍ରାୟତଃ ସମସ୍ତ ପ୍ରଭାବିତଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଯଦି କେଉଁଠି କେହି ପାଣି ଘେରରେ ଥିବା ଖବର ମିଳେ ତୁରନ୍ତ ସମ୍ପୃକ୍ତ ଅଞ୍ଚଳର ବିଡିଓଙ୍କୁ ଜଣାଇବା ପାଇଁ ଜିଲାପାଳ ଡ. ଜ୍ଞାନ ରଞ୍ଜନ ଦାସ ନିର୍ଦ୍ଦେଶ ଦେଇଛନ୍ତି।