ଗର୍ଭଯନ୍ତ୍ରଣାରେ ୨ କି.ମି. ଚାଲିଲେ

କାମାକ୍ଷାନଗର,୧୦।୧୦(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପ୍ରଶାସନର ସମସ୍ତ ଉଦ୍ୟମ ସତ୍ତ୍ୱେ ଆଦିବାସୀ ଅଧ୍ୟୁଷିତ କଙ୍କଡ଼ାହାଡ଼ ବ୍ଲକର କାନ୍ତୋଲ ପଞ୍ଚାୟତର ଉପାନ୍ତ ଏକୁଲରେ ବଦଳୁନାହିଁ ଜନନୀ ଯନ୍ତ୍ରଣାର ଚିତ୍ର। ସ୍ବାଧୀନତାର ଦୀର୍ଘବର୍ଷ ପରେ ବି ସମ୍ପୃକ୍ତ ଗଁାକୁ ସବୁଦିନିଆ ସଡ଼କ ନିର୍ମାଣ ହୋଇପାରିନାହିଁ। ଫଳରେ ଗର୍ଭଯନ୍ତ୍ରଣାରେ ଛଟପଟ ମହିଳା ଅସୁରକ୍ଷିତ ଭାବେ କେତେବେଳେ ଭାରରେ ତ ଆଉ କେତେବେଳେ ଖଟିଆରେ ବୁହାହୋଇ ଆସୁଛନ୍ତି ଡାକ୍ତରଖାନା। ରବିବାର ଏଭଳି ଏକ ଘଟଣାର ପୁନରାବୃତ୍ତି ହୋଇଛି। ଗ୍ରାମକୁ ଭଲ ରାସ୍ତା ନ ଥିବାରୁ ଅସହ୍ୟ ଗର୍ଭକଷ୍ଟରେ ଜଣେ ମହିଳାଙ୍କୁ ଦୀର୍ଘ ୨ କି.ମି. ଦୁର୍ଗମ ପଥ ଅତିକ୍ରମ କରିବାକୁ ପଡ଼ିଛି।
ଏକୁଲ ଗ୍ରାମର ଗଣେଶ ଦେହୁରୀଙ୍କ ସ୍ତ୍ରୀ ତଅପୋଇ (୨୧)ଙ୍କ ରବିବାର ସକାଳେ ଗର୍ଭଯନ୍ତ୍ରଣା ଆରମ୍ଭ ହୋଇଥିଲା। ତାଙ୍କୁ ଡାକ୍ତରଖାନା ନେବାକୁ ଆଶାକର୍ମୀ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ। ତେବେ ଗ୍ରାମକୁ ସବୁଦିନିଆ ରାସ୍ତା ନ ଥିବାରୁ ଗଁାଠାରୁ ୨ କିଲୋମିଟର ଦୂରରେ ଅଟକି ଯାଇଥିଲା ଆମ୍ବୁଲାନ୍ସ। ଅନ୍ୟ ବିକଳ୍ପ ନ ଥିବାରୁ ସମ୍ପର୍କୀୟଙ୍କ ସହ ତଅପୋଇ ଚାଲି ଚାଲି ଆମ୍ବୁଲାନ୍ସ ପାଖକୁ ଆସିଥିଲେ। ଏହାପରେ ତାଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ପ୍ରାଥମିକ ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଛି।
ସମ୍ପୃକ୍ତ ଅଞ୍ଚଳରେ ପ୍ରବାହିତ ବିପଦପୂର୍ଣ୍ଣ ନାଳ ଯାତାୟାତରେ ବାଧକ ସାଜିଛି। ନାଳ ଉପରେ ବ୍ରିଜ୍‌ କିମ୍ବା ଦୁର୍ଗମ ଅଞ୍ଚଳକୁ ରାସ୍ତା ନିର୍ମାଣ ହେଉ ନ ଥିବାରୁ ଏଭଳି ଘଟଣା ସମ୍ପୃକ୍ତ ଅଞ୍ଚଳବାସୀଙ୍କ ଦେହସୁହା ହୋଇଗଲାଣି। ପ୍ରଶାସନ ଏହାର ପ୍ରତିକାର କରୁ ନ ଥିବାରୁ ସେମାନଙ୍କ ମଧ୍ୟରେ ପୁଞ୍ଜୀଭୂତ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।