Categories: ଜାତୀୟ

ରାଜସ୍ଥାନ ହାଇକୋର୍ଟରେ ୨ ଜଜ୍‌ ଦମ୍ପତି

ଜୟପୁର,୧୮।୧: ରାଜସ୍ଥାନ ହାଇକୋର୍ଟରେ ସୋମବାର ୯ ନୂଆ ବିଚାରପତି ଦାୟିତ୍ୱ ଗ୍ରହଣ କରିବା ପରେ ଏବେ ୨ ଜଜ୍‌ ଦମ୍ପତି କୋର୍ଟରେ କାର୍ଯ୍ୟରତ ଅଛନ୍ତି। ସେମାନେ ହେଲେ, ଡା. ନୂପୁର ଭଟି ଓ ତାଙ୍କ ସ୍ବାମୀ ପୁଷ୍ପେନ୍ଦ୍ର ଭଟି ଏବଂ ମହେନ୍ଦ୍ର କୁମାର ଗୋୟଲ ଓ ଶୋଭା ମେହେଟ୍ଟା। ପୁଷ୍ପେନ୍ଦ୍ର ୨୦୧୬ରୁ ହାଇକୋର୍ଟରେ ଜଜ୍‌ ଭାବେ କାର୍ଯ୍ୟ କରିଆସୁଥିବାବେଳେ ସ୍ତ୍ରୀ ନୁପୂର ନୂଆ କରି କାର୍ଯ୍ୟରେ ଯୋଗ ଦେଇଛନ୍ତି। ଗତବର୍ଷ ଜୁନ୍‌ରେ ଜଷ୍ଟିସ୍‌ ଶୋଭା ମେହେଟ୍ଟା ଜଜ୍‌ ଭାବେ ଶପଥ ଗ୍ରହଣ କରିଥିଲେ। ତାଙ୍କ ସ୍ବାମୀ ଜଷ୍ଟିସ୍‌ ମହେନ୍ଦ୍ର କୁମାର ଗୋୟଲ ୨୦୧୯ରେ ହାଇକୋର୍ଟ ଜଜ୍‌ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ରାଜସ୍ଥାନ ହାଇକୋର୍ଟରେ ମୋଟ ୫୦ ଜଜ୍‌ ପଦବୀ ଥିବାବେଳେ ସେଥିମଧ୍ୟରୁ ୩୮ଟି ସ୍ଥାୟୀ ଏବଂ ୧୨ ଅତିରିକ୍ତ ।
୨୦୨୦ ଡିସେମ୍ବରରେ ମାଡ୍ରାସ ହାଇକୋର୍ଟରେ ଏକ ଜଜ୍‌ ଦମ୍ପତି ଶପଥ ନେଇଥିବାବେଳେ ୨୦୧୯ରେ ଜଷ୍ଟିସ୍‌ ବିବେକ ପୁରୀ ଏବଂ ଅର୍ଚ୍ଚନା ପୁରୀ ଗୋଟିଏ ଦିନରେ ପଞ୍ଜାବ-ହରିୟାଣା ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ୨୦୦୯ରେ ଦିଲ୍ଲୀ ହାଇକୋର୍ଟରେ ଜଜ୍‌ ଦମ୍ପତି ଏ.କେ. ପାଠକ ଏବଂ ଇନ୍ଦରମିତ କୌର ଏକାଠି କାର୍ଯ୍ୟ କରିଥିଲେ।

Share