ଶପଥ ନେଲେ ୨ ହାଇକୋର୍ଟ ବିଚାରପତି

କଟକ,୬।୯ (କାର୍ତ୍ତିକ ସାହୁ): ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶିବଶଙ୍କର ମିଶ୍ର ଓ ଆନନ୍ଦ ଚନ୍ଦ୍ର ବେହେରା ମଙ୍ଗଳବାର ପୂର୍ବାହ୍ନରେ ଶପଥ ଗ୍ରହଣ କରିଛନ୍ତି। ହାଇକୋର୍ଟର ପୁରୁଣା ବିଲ୍ଡିଂସ୍ଥିତ ନୂତନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ବିଚାରପତି ଶୁଭାଶିଷ ତାଳପତ୍ର ଉଭୟଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଏହି ଶପଥପାଠ ଉତ୍ସବରେ ଆଇନମନ୍ତ୍ରୀ ଜଗନ୍ନାଥ ସାରକା, ଭିଜିଲାନ୍ସ ଡିଜି ଯଶଓ୍ବନ୍ତ କୁମାର ଜେଠଓ୍ବା, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଡ୍‌ଭୋକେଟ୍‌ ଜେନେରାଲ ଅଶୋକ କୁମାର ପରିଜାଙ୍କ ସମେତ ହାଇକୋର୍ଟ ବିଚାରପତି, ବିଚାର ବିଭାଗୀୟ ଅଧିକାରୀ, ହାଇକୋର୍ଟ ବାର୍‌ ଆସୋସିଏଶନ୍‌ର କର୍ମକର୍ତ୍ତା ଓ ଆଇନଜୀବୀମାନେ ଉପସ୍ଥିତ ଥିଲେ।
୧୯୬୮ ମେ’ ୩ ତାରିଖରେ ବିଚାରପତି ଶିବଶଙ୍କର ଜୟପୁରଠାରେ ଜନ୍ମଗ୍ରହଣ କରିଥିଲେ। ସ୍ବର୍ଗତ ଅନଙ୍ଗଭୀମ ମିଶ୍ର ଓ ସ୍ବର୍ଗତ ଶଶିରେଖା ମିଶ୍ରଙ୍କ ପୁଅ ଶିବଶଙ୍କର କୋରାପୁଟର ଜୟପୁର ଆଇନ ମହାବିଦ୍ୟାଳୟରୁ ଏଲ୍‌ଏଲ୍‌ବି ଡିଗ୍ରୀ ହାସଲ କରିଥିଲେ। ଶିବଶଙ୍କର ୧୯୯୧ ଡିସେମ୍ବର ୭ରେ ଓକିଲାତି ନିମନ୍ତେ ନାମ ପଞ୍ଜୀକରଣ କରିଥିଲେ। ତାଙ୍କର ୩୦ ବର୍ଷର ଓକିଲାତି ଅଭିଜ୍ଞତା ରହିଛି। ଦେୱାନୀ, ଫୌଜଦାରି ମାମଲା ପରିଚାଳନାରେ ସେ ସିଦ୍ଧହସ୍ତ। ସେହିପରି ଅନ୍ୟତମ ନୂତନ ବିଚାରପତି ଆନନ୍ଦଚନ୍ଦ୍ର ବେହେରା ୧୯୬୪ ମେ’ ୨୩ରେ ଜନ୍ମଗ୍ରହଣ କରିଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରେ ସେ ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି। ଏଥିସହ ସେ ରାଜ୍ୟ ଭିଜିଲାନ୍ସରେ ଲିଗାଲ ଆଡଭାଇଜର ଭାବେ କାର୍ଯ୍ୟରତ ଥିଲେ। ହାଇକୋର୍ଟର ମଞ୍ଜୁରୀପ୍ରାପ୍ତ ବିଚାରପତି ପଦବୀ ୩୩ ହୋଇଥିବାବେଳେ ମୁଖ୍ୟ ବିଚାରପତିଙ୍କୁ ମିଶାଇ ବିଚାରପତି ସଂଖ୍ୟା ୨୦ ଥିଲା। ଏବେ ଏହି ଦୁଇ ବିଚାରପତିଙ୍କ ଶପଥଗ୍ରହଣ ଓ ବିଚାରପତି ବିଶ୍ୱନାଥ ରଥଙ୍କ ଅବସର ପରେ ଏହି ସଂଖ୍ୟା ୨୧ରେ ପହଞ୍ଚିଛି।