ବରଯାତ୍ରୀ  ହୋଇ ଯାଇଥିଲେ, ୨ ସାଙ୍ଗଙ୍କ ମୃତଦେହ ଫେରିଲା

ଖଲ୍ଲିକୋଟ,୫।୩ (ପ୍ରଶାନ୍ତ କୁମାର ମିଶ୍ର): ବରଯାତ୍ରୀ ହୋଇ  ଯାଇଥିଲେ  ମୃତଦେହ ହୋଇ ଫେରିଲେ। ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ବାଣିଆ ଚିକିଲି ରାସ୍ତା ନିକଟରେ। ଭାରସାମ୍ୟ ହରାଇ ବାଇକ୍‌ ବିଦ୍ୟୁତ୍‌  ଖୁଣ୍ଟରେ ପିଟି ହେବାରୁ ୨ ସାଙ୍ଗଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କାଳିଞ୍ଜିପାଲ୍ଲି ଗ୍ରାମର ପିଣ୍ଟୁ ପ୍ରଧାନ ଓ ଗଣେଶ ପ୍ରଧାନ ।
ସୂଚନାଯୋଗ୍ୟ, ବାଣିଆ ଗାଁକୁ  ବରଯାତ୍ରୀ ହୋଇ ଯାଇଥିଲେ  ବାହାଘର କାର୍ଯ୍ୟକ୍ରମ ସାରି ନିଜ ଗାଁକୁ ବାଇକ୍‌ରେ ୩ ସାଙ୍ଗ ଫେରୁଥିଲେ । ହେଲେ ବାଣିଆ ଚିକିଲି ନିକଟରେ ବାଇକଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଥିଲା। ଗାଡ଼ିରେ ଥିବା ୩ ଜଣଙ୍କ ମଧ୍ୟରୁ ୨ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଅନ୍ୟ ଜଣେ ସାମାନ୍ୟ ଆହତ ହୋଇ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି। ଖବରପାଇ ସ୍ଥାନୀୟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।