ସମୁଦ୍ରରେ ୨ ମାଛଧରା ବୋଟ୍‌ ନିଖୋଜ: ୧୩ ମତ୍ସ୍ୟଜୀବୀଙ୍କ ପତ୍ତା ମିଳୁନି

ପାରାଦୀପ,୧୬ା୧(ସ୍ବ.ପ୍ର.): ପାରାଦୀପ ମାଛଧରାବନ୍ଦର ପରିସରରୁ ସମୁଦ୍ରକୁ ଯାଇଥିବା ଦୁଇଟି ମାଛଧରା ବୋଟ ରବିବାର ନିଖୋଜ ହୋଇଯାଇଛି। ସେମାନଙ୍କୁ ଉଦ୍ଧାର ପାଇଁ ମତ୍ସ୍ୟ ବିଭାଗ ପକ୍ଷରୁ ରାତିରେ କୋଷ୍ଟଗାର୍ଡ ଓ ମେରାଇନ ପୋଲିସକୁ ଚିଠି (ନଂ-୧୫୭/୧୫-୦୧-୨୩)ଯୋଗେ ଅନୁରୋଧ କରାଯାଇଛି। ଏଥିରେ ଦର୍ଶାଯାଇଛି, ୨ଟି ବୋଟ୍‌ ସମୁଦ୍ରର ୮୮ ନଟିକାଲ ମାଇଲ (୧୫୮କିମି)ଦୂରରେ ନିଖୋଜ ହୋଇଯାଇଛି। ସେଥିରେ ଥିବା ଡ୍ରାଇଭର ଅଶୋକ ମିିର୍ଦ୍ଧାଙ୍କ ସୂଚନା ଅନୁସାରେ ୧୩ ଜଣ ମତ୍ସ୍ୟଜୀବୀଙ୍କ ପତ୍ତା ମିଳୁନି । ଏବେ ସମ୍ପୃକ୍ତ ଡ୍ରାଇଭରଙ୍କ ସହ ଆଉ କୌଣସି ଯୋଗାଯୋଗ ହୋଇପାରୁନାହିଁ। ସେଥିପାଇଁ କୋଷ୍ଟଗାର୍ଡ ପାରାଦୀପଠାରୁ ଉତ୍ତର ପୂର୍ବ ସମୁଦ୍ର ସୀମାରେ ପାଟ୍ରୋଲିଂ ଜାହାଜ ଜରିଆରେ ଉଦ୍ଧାର ପାଇଁ ନିବେଦନ କରିଛନ୍ତି। ଶେଷ ଖବର ଅନୁସାରେ କୋଷ୍ଟଗାର୍ଡର ଏକ ଜାହାଜ ନିଖୋଜ ବୋଟ ସନ୍ଧାନରେ ଯାଇଛି।