ସାଥୀ ମତ୍ସ୍ୟଜୀବୀଙ୍କ କଟୁରି ଆକ୍ରମଣରେ ୨ ଗୁରୁତର

ମହାକାଳପଡ଼ା,୧୭ା୧୨(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ମାଦଳି ମୁହାଁଣ ନିକଟ ମଝି ସମୁଦ୍ରରେ ଗୌରୀ ନାମକ ମାଛଧରା ବୋଟ୍‌ରେ ଶୁକ୍ରବାର ସକାଳ ଏକ ଅଭାବନୀୟ ଘଟଣା ଘଟିଛି ା ଜଣେ ମତ୍ସ୍ୟଜୀବୀଙ୍କ କଟୁରି ଚୋଟରେ ୨ ସାଥୀ ମତ୍ସ୍ୟଜୀବୀ ଗୁରୁତର ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ା ପୋଲିସ ଏହି ଘଟଣା ଉପରେ ନଜର ରଖିଛି ା
ସୂଚନା ଅନୁଯାୟୀ, ମହାକାଳପଡ଼ା ବ୍ଲକ ଅଧୀନ ଖରିନାସୀ ଗ୍ରାମର ଗୌରୀ ନାମକ ବୋଟ୍‌ରେ ସେହି ଗ୍ରାମର ୬ ମତ୍ସ୍ୟଜୀବୀ ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ। ସେମାନେ ଫେରିବା ବାଟରେ ମାଦଳୀ ମୁହାଁଣ ନିକଟରେ ବିଶ୍ରାମ ନେଇଥିଲେ। ହେଲେ କୌଣସି କାରଣକୁ କେନ୍ଦ୍ର କରି ମତ୍ସ୍ୟଜୀବୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା ା ତାହା ଅଳ୍ପ ସମୟ ମଧ୍ୟରେ ଉଗ୍ରରୂପ ନେଇଥିଲା ା ଏଥିରେ ମତ୍ସ୍ୟଜୀବୀ ବାବୁରାମ ଦାସ ଉତ୍‌କ୍ଷପ୍ତ ହୋଇ ସାଥୀ ମତ୍ସଜୀବୀ ଭୀମ ଦାସ ଓ ବାପି ଦାସଙ୍କୁ ଏକ କଟୁରୀରେ ଆକ୍ରମଣ କରିଥିଲେ। ଏଥିରେ ଭୀମ ଗୁରୁତର ହୋଇଥିଲେ। ଏ ସଂକ୍ରାନ୍ତରେ ବୋଟ୍‌ରେ ଥିବା ଅନ୍ୟ ମତ୍ସ୍ୟଜୀବୀମାନେ ଖରିନାସୀ ବୋଟ୍‌ ମାଲିକ ସଂଘ ଓ ଜମ୍ବୁ ସାମୁଦ୍ରିକ ଥାନାକୁ ଜଣାଇଥିଲେ ା ଖବର ପାଇ ସାମୁଦ୍ରିକ ପୋଲିସ ଓ ବୋଟ୍‌ ମାଲିକ ସଂଘ କର୍ମକର୍ତ୍ତା ଏକ ସ୍ପିଡ୍‌ ବୋଟ୍‌ରେ ଘଟଣାସ୍ଥଳରେ ପହଞ୍ଚି ଆହତ ୨ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରି କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସା କେନ୍ଦ୍ରକୁ ପଠାଇଥିଲେ ା ଆକ୍ରମଣକାରୀ ବାବୁରାମ ଏହି ଘଟଣାକୁ ସ୍ବୀକାର କରିଛନ୍ତି ା ସେ ନିଶାସକ୍ତ ଥିବାରୁ ଏପରି ଭୁଲ ହୋଇଯାଇଛି ବୋଲି ପୋଲିସ ଆଗରେ ପ୍ରକାଶ କରିଛନ୍ତି। ତେବେ ଏହି ରିପୋର୍ଟ ପ୍ରସ୍ତୁତ ପର୍ଯ୍ୟନ୍ତ ଜମ୍ବୁ ସାମୁଦ୍ରିକ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇ ନ ଥିବା ଥାନା ଅଧିକାରୀ ପରେଶ କୁମାର ମହାନ୍ତି କହିଛନ୍ତି ା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ରେଞ୍ଜ ଅଧିକାରୀ ମାନସ କୁମାର ଦାସ କହିଛନ୍ତି, ଏ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ ା