ଖାତାଦେଖାକୁ ବିଦ୍ୟୁତ୍‌ ବିଭ୍ରାଟ ଅଡୁଆ

ଢେଙ୍କାନାଳ ଅଫିସ, ୧୧।୪: ବିଦ୍ୟୁତ୍‌ ବିଭ୍ରାଟ ଯୋଗୁ ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟରେ ସୋମବାରଠାରୁ ଆରମ୍ଭ ହୋଇଥିବା ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ଖାତା ଦେଖା ବାଧାପ୍ରାପ୍ତ ହୋଇଛି। ଏଭଳି ଲାଗି ରହିଲେ ନିର୍ଦ୍ଧାରିତ ସମୟରେ ମୂଲ୍ୟାୟନ ସରିବ ନାହିଁ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି କଲେଜ କର୍ତ୍ତୃପକ୍ଷ।
ଢେଙ୍କାନାଳ କଲେଜରେ ଅଫ୍‌ଲାଇନ୍‌ ଖାତାଦେଖାରେ ୧୦୭ ଏବଂ ଅନ୍‌ଲାଇନ୍‌ ଖାତାଦେଖାରେ ୨୮ଜଣ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ନିୟୋଜିତ କରାଯାଇଛି। ମେ’ ମାସ ସୁଦ୍ଧା ପରୀକ୍ଷା ଫଳ ବାହାରିବ ବୋଲି ସରକାର ଲକ୍ଷ୍ୟ ରଖିଛନ୍ତି। ତେବେ ସହରରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ବିଦ୍ୟୁତ୍‌ ଖୁଣ୍ଟ ସ୍ଥାନାନ୍ତର କରାଯାଉଥିବାରୁ ସକାଳୁ ଦୀର୍ଘ ସମୟ ଯାଏ ବିଦ୍ୟୁତ୍‌ ବିଚ୍ଛିନ୍ନ କରାଯାଇଛି। ତେଣୁ ଖାତାଦେଖା କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ପରୀକ୍ଷାଖାତା ମୂଲ୍ୟାୟନ ବେଳେ ନିରବଚ୍ଛିନ୍ନ ବିଦ୍ୟୁତ୍‌ ସରବରାହ ଯୋଗାଇ ଦେବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ କଡ଼ା ନିର୍ଦ୍ଦେଶ ରହିଛି। ତଥାପି ଏଭଳି ବିଭ୍ରାଟ ଚିନ୍ତାର କାରଣ ପାଲଟିଛି।
ଏ ସଂକ୍ରାନ୍ତରେ କଲେଜ ଅଧ୍ୟକ୍ଷ ପ୍ରଫେସର ରଞ୍ଜିତ ପ୍ରଧାନ କୁହନ୍ତି, ଢେଙ୍କାନାଳ କଲେଜରେ ୨ ପର୍ଯ୍ୟାୟରେ ଯୁକ୍ତ୨ ଖାତାଦେଖା ହେବ। ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୧୦ରୁ ୨୨ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଏପ୍ରିଲ ୨୫ରୁ ମେ ୭ ଯାଏ ଏହା ଜାରି ରହିବ। ପ୍ରଥମ ଦିନରେ ମଧ୍ୟାହ୍ନ ୧୨ଟା ସୁଦ୍ଧା ୬୦% ଶିକ୍ଷୟିତ୍ରୀଶିକ୍ଷକ ପହଞ୍ଚତ୍ଥିଲେ। ତେବେ ବିଦ୍ୟୁତ୍‌ ବିଭ୍ରାଟ ଯୋଗୁ ଅନ୍‌ଲାଇନ୍‌ ଖାତାଦେଖା ପ୍ରଭାବିତ ହୋଇଛି। ଏ ନେଇ ବିଦ୍ୟୁତ୍‌ ବିଭାଗୀୟ ଯନ୍ତ୍ରୀ ଏବଂ ଅଧିକାରୀଙ୍କୁ ଅବଗତ କରାଯାଇଛି। ଏଭଳି ବିଭ୍ରାଟ ଜାରି ରହିଲେ ମୂଲ୍ୟାୟନ ନିର୍ଦ୍ଧାରିତ ସମୟରେ ସରିବ ନାହିଁ ବୋଲି କଲେଜ ଅଧ୍ୟକ୍ଷ କହିଛନ୍ତି।