ଧାନତଳି ବଞ୍ଚାଇବାକୁ ଯାଇ ନଦୀରେ ଫସିଗଲେ ୨ ଚାଷୀ

ଭବାନୀପାଟଣା,୮ା୮(ସ୍ବ.ପ୍ର.): କଳାହାଣ୍ଡି ଜିଲାରେ ସୋମବାର ଏକ ଅଭବାନୀୟ ଦୃଶ୍ୟ ସାମ୍ନାକୁ ଆସିଛି। ଧାନ ତଳିକୁ ବଞ୍ଚାଇବା ଯାଇ ନଦୀରେ ୨ ଚାଷୀ ଜଳବନ୍ଦୀ ହୋଇଥିଲେ। ଦୀର୍ଘ ସମୟ ଧରି ଜଳରେ ଫସିରହିବା ପରେ ଅଗ୍ନିଶମ ବିଭାଗ ସେମାନଙ୍କୁ ଉଦ୍ଧାର କରିଛି।

କଳାହାଣ୍ଡି ଜିଲା ଜୟପାଟଣା ବ୍ଲକରେ ରବିବାର ରାତିରେ ଜିଲାରେ ସବୁଠୁ ଅଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଏପରିସ୍ଥଳେ ବ୍ଲକର କାଦୋପଦର ଗ୍ରାମର ଅର୍ଜୁନ ମାଝି ଓ ମଣିଧାର ରାଉତ ୨ ଚାଷୀ ନିଜ ଧାନ ତଳିକୁ ଚାଷଜମିରୁ ସୁରକ୍ଷିତ ସ୍ଥାନକୁ ନେବା ସମୟରେ ଦୁଇ ପାର୍ଶ୍ୱରେ ଥିବା ଗାଈଧାର ଓ ହାତୀ ନଦୀରେ ହଠାତ୍‌ ଜଳସ୍ତର ବୃଦ୍ଧି ପାଇଥିଲା। ଫଳରେ ଏହି ୨ଚାଷୀ ବାହାରକୁ ବାହାରି ନ ପାରି ଦୀର୍ଘ ସମୟ ଧରି ଦୁଇ ନଦୀ ମଧ୍ୟରେ ଜଳବନ୍ଦୀ ହୋଇ ରହିଥିଲେ। ସ୍ଥାନୀୟ ଲୋକେ ଜୟପାଟଣା ଅଗ୍ନିଶମ ବିଭାଗକୁ ଜଣାଇବା ପରେ ସେମାନଙ୍କୁ ପାଣିରୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା ଅଗ୍ନିଶମ ବିଭାଗ।
ଫଳରେ ଅଳ୍ପକେ ମୃତ୍ୟୁମୁଖରୁ ବଞ୍ଚି ଯାଇଥିଲେ ୨ ଚାଷୀ। ଅନ୍ୟପଟେ,ବନ୍ୟା ଜଳରେ ଗୋଟିଏ ଗାଈ, ଗୋଟିଏ ପାଓ୍ବାରଟିଲର,ମୋଟର ପମ୍ପ ଭାସି ଯାଇଥିବା ଜଣାପଡ଼ିଛି।