ଯୁକ୍ତ୨ ପରୀକ୍ଷା: ୨୮ରେ ସରିବ ଫର୍ମପୂରଣ

ଭୁବନେଶ୍ୱର, ୨୬ା୧୧(ବ୍ୟୁରୋ): ୨୦୨୩ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଲାଗି ଫର୍ମ ପୂରଣ ପ୍ରକ୍ରିୟା (ଫାଇନ୍‌) ଆସନ୍ତା ୨୮ ତାରିଖରେ ଶେଷ ହେବ। ରେଗୁଲାର, ଏକ୍ସରେଗୁଲାର ଫରୀକ୍ଷାର୍ଥୀଙ୍କ ଲାଗି ବିନା ଜରିମାନାରେ ଫର୍ମ ପୂରଣ ଗତ ୧୪ରୁ ଆରମ୍ଭ ହୋଇ ୨୨ ତାରିଖରେ ସରିଥିଲା। ଫର୍ମପୂରଣ ଫି’ ଥିଓରୀ ଲାଗି ୫୨୦ ଟଙ୍କା ଏବଂ ପ୍ରାକ୍ଟିକାଲ ବିଷୟ ଲାଗି ୪୦ଟଙ୍କା ଧାର୍ଯ୍ୟ ହୋଇଥିଲା। ତେବେ ଯେଉଁ ଛାତ୍ରୀଛାତ୍ର ପ୍ରଥମ ପର୍ଯ୍ୟାୟରେ ଫର୍ମପୂରଣ ପ୍ରକ୍ରିୟାରୁ ବଞ୍ଚତ୍ତ ହୋଇଥିଲେ ସେମାନଙ୍କ ଲାଗି ଜରିମାନା ବା ଫାଇନ୍‌ ସହ ଫର୍ମ ପୂରଣ କରିବାକୁ ସୁଯୋଗ ଦିଆଯାଇଛି। ଏହି ଜରିମାନା ରହିତ ଫର୍ମପୂରଣ ପ୍ରକ୍ରିୟା ଆସନ୍ତା ୨୮ ତାରିଖରେ ଶେଷ ହେବ। ଜରିମାନା ବାବଦରେ ଛାତ୍ରୀଛାତ୍ରଙ୍କୁ ଅତିରିକ୍ତ ୪୫୦ ଟଙ୍କା ପୈଠ କରିବାକୁ ପଡୁଛି। ତେବେ ଫର୍ମପୂରଣ ପ୍ରକ୍ରିୟା ଶେଷ ହେବାପରେ କେଉଁ କଲେଜ କେଉଁ ଦିନ ଯୁକ୍ତ୨ ପରିଷଦରେ ଫର୍ମ ଜମା କରିବେ, ସେନେଇ ସମସ୍ତ ଜୁନିୟର କଲେଜର ଅଧ୍ୟକ୍ଷଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ଅନ୍ୟପକ୍ଷରେ ସେଣ୍ଟ୍ରାଲ ଜୋନ୍‌, ବାରିପଦା, ବ୍ରହ୍ମପୁର ଏବଂ ସମ୍ବଲପୁର ଜୋନ୍‌ ଲାଗି ଡକ୍ୟୁମେଣ୍ଟ ଜମା କରିବାର ତାରିଖ ଡିସେମ୍ବର ୫ରୁ ଆରମ୍ଭ ହୋଇ ଡିସେମ୍ବର ୧୪ରେ ଶେଷ ହେବ ବୋଲି ଧାର୍ଯ୍ୟ ହୋଇଛି। ନିର୍ଦ୍ଧାରିତ ତାରିଖ ଧାର୍ଯ୍ୟ ସମ୍ପର୍କରେ ପ୍ରରୀକ୍ଷା ନିୟନ୍ତ୍ରକ ଅଧ୍ୟକ୍ଷମାନଙ୍କୁ ଚିଠି ମାଧ୍ୟମରେ ଅବଗତ କରିଛନ୍ତି।