ଦେଉଳପଡ଼ା ଗଁାରେ ୨ ଡେଙ୍ଗୁ ରୋଗୀ ଚିହ୍ନଟ

ମହାକାଳପଡ଼ା,୧୨ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଦେଉଳପଡ଼ା ଗଁାରେ ୨ ଜଣ ମହିଳା ଡେଙ୍ଗୁ ଜ୍ୱରରେ ପୀଡ଼ିତ ହୋଇଥିବା ଚିହ୍ନଟ ହୋଇଛନ୍ତି। ତେବେ ୨ ଡେଙ୍ଗୁ ରୋଗୀ ମହିଳା ଦ୍ୱୟ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ, ଏହି ଗ୍ରାମର ଟୁନିବାଳା ପଣ୍ଡା (୫୦) ଓ ଜୟନ୍ତୀ ମଲିକ(୩୫) ବୋଲି ରକ୍ତ ନମୁନାରୁ ଚିହ୍ନଟ ହୋଇଛନ୍ତି। ଏ ନେଇ ମହାକାଳପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଶୁକ୍ରବାର ଏକ ସ୍ବାସ୍ଥ୍ୟ ଟିମ୍‌ର ସଚେତନ କାର୍ଯ୍ୟକ୍ରମ ଦଳିତସାହିର ତାରିଣୀ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସଚେତନତା କାର୍ଯ୍ୟକ୍ରମରେ ଡେଙ୍ଗୁ ଜ୍ୱରର କାରଣ, ନିରାକରଣ ଓ ଚିକିତ୍ସା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇ ଥିଲେ। ପରେ କେତେଜଣ ଲୋକଙ୍କଠାରୁ ରକ୍ତ ନମୁନା ସଂଗ୍ରହ କରାଯାଇଛି। ଘର ଚାରିପାଖରେ ଜମି ରହିଥିବା ଖାଲ, ସନ୍ତସନ୍ତିଆ ଜାଗା ବନ୍ଦ କରିବା, ମଶା ଡିମ୍ବ ଦେବା ସ୍ଥାନକୁ ନଷ୍ଟ କରିବା ସହ ମଶାରୀ ଟାଣି ଶୋଇବା ଦ୍ୱାରା ଡେଙ୍ଗୁ ଜ୍ୱରଠାରୁ ଦୂରେଇ ପାରିବା ବୋଲି ସଚେତନ କରିଥିଲେ। ଏହି ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଜନ ସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମନୋରଞ୍ଜନ ପଣ୍ଡା, ଜନ ସ୍ବାସ୍ଥ୍ୟ ଅଧିକାରୀ ମୀନାରାଣୀ ସେଠୀ, ଟେକନିସିଆନ ଅରବିନ୍ଦ ମହାପାତ୍ର, ସୁଶ୍ରୀ ସଙ୍ଗୀତା ରାଉତ, ଗଁାର ବରିଷ୍ଠ ମୁରବି ନିରଞ୍ଜନ ମଲିକ ପ୍ରମୁଖ ଉପସ୍ଥିତ ଥିଲେ। ଏ ସଂକ୍ରାନ୍ତରେ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସା ଅଧିକାରିଣୀ ଡା. ଅନିତା ପଟ୍ଟନାୟକଙ୍କୁ ପଚାରିବାରେ ଏଡିସ୍‌ ମଶା (ଡେଙ୍ଗୁ ମଶା) ଗୁଡ଼ିକ ଭୋର ଓ ସା ଗୋଧୂଳି ସମୟରେ ରୋଗୀଙ୍କୁ କାମୁଡି ଥାନ୍ତି। ଏହି ମଶାରୁ ଦୂରେଇ ରହିବା ପାଇଁ ମଶାରୀ ବ୍ୟବହାର କରିବା ସହ ନିକଟରେ ଥିବା ଖାଲରେ ପାଣି ଜମି ଥିବା ସ୍ଥାନ, ଟାୟାର, ଟିଣ, ପ୍ଲାଷ୍ଟିକ ଦ୍ରବ୍ୟ ଭିତରେ ପାଣି ଜମି ରହିଥିଲେ ଏମାନେ ସହଜରେ ଡିମ୍ବ ଦେଇଥାନ୍ତି। ଏସବୁରୁ ପାଣି ନ ଜମିବା ଉପରେ ଗୁରୁତ୍ୱ ଦେବା ପାଇଁ ପରାମର୍ଶ ଦେଇଥିଲେ। ନିଜେ ସଚେତନ ରହି ସ୍ଥାନୀୟ ଲୋକମାନଙ୍କୁ ସଚେତନ କରାଇବା ପାଇଁ ସେ କହିଛନ୍ତି।