ବଜ୍ରପାତରେ ନାବାଳକଙ୍କ ସମେତ ୨ ମୃତ, ୩ ଆହତ

ବାଣପୁର(ଶଙ୍କର ବସ୍ତି)/ଗମ୍ଭାରୀମୁଣ୍ଡା,୨ା୯(ଦିଲ୍ଲୀପ ସ୍ବାଇଁ): ଖୋର୍ଦ୍ଧା ଜିଲା ବାଣପୁର ଥାନା ଅଞ୍ଚଳରେ ଶନିବାର ବଜ୍ରପାତ ହେବାରୁ ଜଣେ ନାବାଳକଙ୍କ ସମେତ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ମୃତକ ହେଲେ ଏହି ଥାନା ଅଧୀନ ଅରାଙ୍ଗ ଗ୍ରାମର ରଞ୍ଜିତ୍‌ ରଣସିଂହ(୨୨) ଓ କାଦମ୍ବଝୁଲା ଗ୍ରାମର ଅମର ଶବର(୧୪)। ଆହତ ଅରାଙ୍ଗ ଗ୍ରାମର ନାଲ୍ଲା ନାୟକ, ପ୍ରଶାନ୍ତ ନାୟକ ଓ ପଞ୍ଚୁ ନାୟକଙ୍କୁ ଚିକିତ୍ସା ପାଇଁ ବାଣପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ମୁତାବକ, ବାଣପୁର ଅଞ୍ଚଳରେ ଅପରାହ୍ନରେ ବର୍ଷା ହେବା ସହ ବଜ୍ରପାତ ହୋଇଥିଲା। ଏହି ସମୟରେ କାଦମ୍ବଝୁଲା ଗ୍ରାମର ଅମର ଛତାଧରି ଘରକୁ ଫେରୁଥିବା ବେଳେ ବଜ୍ରପାତ ହେବାରୁ ଅଚେତ୍‌ ହୋଇପଡ଼ିଥିଲେ। ଏହା ଦେଖି ଗ୍ରାମବାସୀ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାଣପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ଅରାଙ୍ଗ ଗ୍ରାମର ରଞ୍ଜିତ୍‌, ନାଲ୍ଲା, ପ୍ରଶାନ୍ତ ଓ ପଞ୍ଚୁ ବିଲକୁ କାମ କରିବାକୁ ଯାଇଥିଲେ। ହଠାତ୍‌ ବର୍ଷା ହେବାରୁ ଏମାନେ ସେଠାରେ ଥିବା ଏକ କୁଡ଼ିଆରେ ଆଶ୍ରୟ ନେଇଥିଲେ। ବଜ୍ରପାତ ହେବାରୁ ଘଟଣାସ୍ଥଳରେ ରଞ୍ଜିତ୍‌ଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟମାନେ ଆହତ ହୋଇଥିଲେ। ଖବରପାଇ ଗ୍ରାମବାସୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ବାଣପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।