୨ କଲ୍‌ଭର୍ଟ ନିର୍ମାଣକୁ ୯ ମାସ ପୂରିଲା, ମିଳୁନି ବିଲ

ରଘୁନାଥପୁର, ୧୪ା୯(ଡି.ଏନ.ଏ.): ରଘୁନାଥପୁର ବ୍ଲକ ଚିକିଣିଆ ପଞ୍ଚାୟତ ୯ ନଂ. ଜଳସେଚିତ କେନାଲ ଉପରେ ୯ ମାସ ତଳୁ ସରିଥିବା ୨ଟି କଲଭର୍ଟ କାର୍ଯ୍ୟର ବିଲ ଅଦ୍ୟାବଧି ଗୋଟିକର ହୋଇଥିବା ବେଳେ ଅନ୍ୟଟିର ହୋଇନାହିଁ। ବାରମ୍ବାର ବ୍ଲକ ପ୍ରଶାସନ ଓ ଜିଲାପାଳଙ୍କ ଜନଶୁଣାଣିରେ ଗଁାର କାମ କରିଥିବା ରବୀନ୍ଦ୍ର ସେଠୀ ଅଭିଯୋଗ କରିଥିଲେ ହେଁ ବିଲ ପାସ ହୋଇନାହିଁ। ଯଦି ପ୍ରଶାସନ ଖର୍ଚ୍ଚ କରିଥିବା ଅର୍ଥ ନ ଦିଏ ତେବେ ଧାରଣା ଦେବେ ବୋଲି ରବୀନ୍ଦ୍ର ଚେତାବନୀ ଦେଇଛନ୍ତି। ସୂଚନାଯୋଗ୍ୟ, ପଞ୍ଚାୟତର ପୂର୍ବତନ ସମିତିସଭ୍ୟ ପ୍ରମିଳା ବିଶ୍ୱାଳ ଥିବା ସମୟରେ ପିଏସ ସେଆରରେ ଜଳସେଚିତ କେନାଲ ଉପରେ ୨ଟି କଲଭର୍ଟ ନିର୍ମାଣ ପାଇଁ ଅନୁଦାନ ଆସିଥିଲା। ସମିତିସଭ୍ୟା ପୁଅଙ୍କ ଅନୁରୋଧ ରକ୍ଷା କରି ରବୀନ୍ଦ୍ର କଲଭର୍ଟ ନିର୍ମାଣରେ ଟଙ୍କା ଖର୍ଚ୍ଚ କରିଥିଲେ। ଯନ୍ତ୍ରୀଙ୍କ ଉପସ୍ଥିତରେ ନିର୍ଦ୍ଧାରୀତ ସମୟରେ ନିର୍ମାଣ କାମ ଶେଷ ହୋଇଥିଲା। ହେଲେ ଯନ୍ତ୍ରୀ ଜ୍ୟୋତ୍ସ୍ନାମୟୀ ଦେବତା ଗୋଟିଏ କାର୍ଯ୍ୟାଦେଶରେ କାମର ନାମ ଭୂଲ ଥିବା ଦର୍ଶାଇ ବିଲ କରୁନାହାନ୍ତି ବୋଲି ରବୀନ୍ଦ୍ର କହିଛନ୍ତି। ଯଦି କିଛି ଦ୍ରୁଟି ଥିଲା ତେବେ କାମ ପୂର୍ବରୁ ଜଣାଗଲାନାହିଁ କାହିଁକି ବୋଲି ରବୀନ୍ଦ୍ର କହିଛନ୍ତି। କାମ ପାଇଁ ରବୀନ୍ଦ୍ର ବିଭିନ୍ନ ଆଡୁ ସିମେଣ୍ଟ, ବାଲି, ଗୋଡି ବାକିରେ ଆଣି କରିଥିଲେ। ରବୀନ୍ଦ୍ର ଏବେ ଟଙ୍କା ପରିଶୋଧ ପାଇଁ ଅସୁବିଧାରେ ହେଉଛନ୍ତି। ଏ ସମ୍ପର୍କରେ ସହକାରୀ ଯନ୍ତ୍ରୀ ଅମୀୟଚାନ୍ଦ ମଲ୍ଲିକଙ୍କୁ ପଚାରିବରେ ରବୀନ୍ଦ୍ରଙ୍କ ଗୋଟିଏ ବିଲ ହୋଇଛି। ଅନ୍ୟ ପ୍ରକଳ୍ପଟିରେ ଜୟନ୍ତ ବିଶ୍ୱାଳ ସ୍ଥାନରେ ଜଗନାଥ ବିଶ୍ୱାଳ ହୋଇଥିବାରୁ ବିଲ୍‌ କରିବାରେ ସମସ୍ୟା ଉପୁଜିଛି। ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିବାରୁ ଖୁବ୍‌ଶୀଘ୍ର ଏହାର ସମାଧାନ କରାଯିବ ବୋଲି ସେ କହିଛନ୍ତି।