ବିପଦସଙ୍କୁଳ କୋଠାରେ ୨ ସମବାୟ ବ୍ୟାଙ୍କ

ଖୋର୍ଦ୍ଧା ଅଫିସ,୬ା୮: କୃଷି ଓ ଚାଷୀଙ୍କ ବିକାଶ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ଋଣ ଓ ସବ୍‌ସିଡି ଯୋଗାଇଦେବାକୁ ବିଭିନ୍ନ ଜିଲାରେ ସମବାୟ ବ୍ୟାଙ୍କ ରହିଛି। ତେବେ କେତେକ ସମବାୟ ବ୍ୟାଙ୍କ ବିପଦସଙ୍କୁଳ କୋଠାରେ ଚାଲିଛି। ଖୋର୍ଦ୍ଧା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ବାଲୁଗାଁ ଶାଖାର କୋଠା ମଧ୍ୟ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏହି କୋଠାର ଛାତ ଓ କାନ୍ଥ ଫାଟି ଗଲାଣି। ବିଭିନ୍ନ ସ୍ଥାନରେ ପଲସ୍ତରା ଖସି ଲୁହାଛଡ଼ ଦେଖା ଗଲାଣି। କେତେବେଳେ ଅଘଟଣ ଯେ ନ ଘଟିବ କିଛି କହି ହେବନି। ବାଲୁଗାଁ ଶାଖା ଉପରେ ଚିଲିକା ଓ ବାଣପୁର ବ୍ଲକର ଶତାଧିକ ଚାଷୀ ନିର୍ଭର କରୁଛନ୍ତି। ପ୍ରତିଦିନ ଲୋକେ ଏଠାକୁ ସେମାନଙ୍କ କାମରେ ଆସୁଛନ୍ତି। ତେବେ ବ୍ୟାଙ୍କ ଛାତରୁ ପଲସ୍ତରା ଖସି କ୍ରଂକିଟ ଖଣ୍ଡ ଝୁଲି ରହିଛି। ଯେ କୌଣସି ସମୟରେ ଏହା ଖସିପଡ଼ିବାର ଆଶଙ୍କା ରହିଛି। ବର୍ଷା ହେଲେ ଛାତରୁ ପାଣି ଗଳୁଥିବା ବେଳେ କାନ୍ଥ ସନ୍ତସନ୍ତିଆ ଯୋଗୁ କାର୍ଯ୍ୟ କରିବରେ କର୍ମଚାରୀମାନେ ହଇରାଣ ହେଉଛନ୍ତି। ସେହିପରି ବେଗୁନିଆ ବ୍ଲକ ବଡ଼ବେରଣା ଗ୍ରାମସ୍ଥିତ ସେବା ସମବାୟ ସମିତି କାର୍ଯ୍ୟାଳୟ ବିପଦସଙ୍କୁଳ କୋଠାରେ ଚାଲିଛି। ଦୀର୍ଘ ଦିନ ହେବ ଏହି କୋଠା ମରାମତି କରାଯାଇନାହିଁ। ଛାତ ଦୁର୍ବଳ ହୋଇପଡ଼ିଛି। ବର୍ଷା ହେଲେ ପାଣି ଗଳୁଛି। ଫଳରେ କାର୍ଯ୍ୟାଳୟର କାଗଜପତ୍ର ଓ ଉପକରଣ ଓଦା ହୋଇ ନଷ୍ଟ ହେବାକୁ ବସିଲାଣି। ଏ ନେଇ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବି ହୋଇଛି।