Categories: ଜାତୀୟ

୬ ମାସ ମଧ୍ୟରେ ସୁପ୍ରିମ୍‌କୋର୍ଟରେ ନିଯୁକ୍ତି ହେବେ ୨ ସିଜେଆଇ…

ନୂଆଦିଲ୍ଲୀ, ୨୭।୬ : ଆଗାମୀ ୬ ମାସ ମଧ୍ୟରେ ସୁପ୍ରିମ୍‌କୋର୍ଟରେ ୨ ପ୍ରଧାନବିଚାରପତି(ସିଜେଆଇ) ନିଯୁକ୍ତ ହେବେ। ପ୍ରଧାନ ବିଚାରପତି ଏନଭି ରମନାଙ୍କ ସମେତ ୫ ଜଣ ବିଚାରପତି ଅବସର ନେବେ। ଅବସର ଗ୍ରହଣ କରୁଥିବା ବିଚାରପତିମାନଙ୍କ ମଧ୍ୟରେ ୨ ଜଣ ସିଜେଆଇ ରହିଛନ୍ତି।

ପ୍ରଧାନ ବିଚାରପତି ଏନଭି ରମନାଙ୍କ ଅବସର ପରେ ବରିଷ୍ଠତା ଅନୁଯାୟୀ ଜଷ୍ଟିସ ଏସ.ୟୁ. ଲଲିତ ଭାରତର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ। କିନ୍ତୁ ପ୍ରଧାନ ବିଚାରପତି ଭାବେ ଲଲିତ କାର୍ଯ୍ୟକାଳ ଦୁଇ ମାସ କିଛି ଦିନର ହେବ।

ଏହାପରେ ଜଷ୍ଟିସ ଡି ଓ୍ବାଇ ଚନ୍ଦ୍ରଚୂଡ଼ ବରିଷ୍ଠତାକୁ ଦୃଷ୍ଟିରେ ରଖି ଭାରତର ପ୍ରଧାନ ବିଚାରପତି ହେବେ। ସେ ୨ ବର୍ଷ ଧରି ଭାରତର ପ୍ରଧାନ ବିଚାରପତି ଭାବେ କାର୍ଯ୍ୟ କରିବେ। ଚନ୍ଦ୍ରଚୂଡ଼ଙ୍କ ପିତା ମଧ୍ୟ ପ୍ରଧାନ ବିଚାରପତି ଭାବେ କାର୍ଯ୍ୟ କରିଛନ୍ତି। ଜଷ୍ଟିସ ଖାନଓ୍ବିଲକର ଜୁଲାଇ ୯ରେ ଅବସର ଗ୍ରହଣ କରିବେ।

ପରେ ୨୬ ଅଗଷ୍ଟରେ ପ୍ରଧାନ ବିଚାରପତି ଏନ.ଭି ରମନା ଅବସର ନେବେ। ଏହାପରେ ଅଗଷ୍ଟ ୨୭ରେ ଜଷ୍ଟିସ ଲଲିତ ପ୍ରଧାନବିଚାରପତି ଭାବେ କାର୍ଯ୍ୟ କରିବେ। ସେ ନଭେମ୍ବର ୮ରେ ଅବସର ନେବେ। ତାଙ୍କ ପରେ ଜଷ୍ଟିସ ଚନ୍ଦ୍ରଚୂଡ଼ ୯ ନଭେମ୍ବରରେ ଭାରତର ପ୍ରଧାନ ବିଚାରପତି ହେବେ।

ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ପିତା ଓ୍ବାଇଭି ଚନ୍ଦ୍ରଚୂଡ ୨୨ ଫେବୃଆରୀ ୧୯୭୮ ରୁ ୧୧ ଜୁଲାଇ ୧୯୮୫ ପର୍ଯ୍ୟନ୍ତ ଭାରତର ପ୍ରଧାନ ବିଚାରପତି ଥିଲେ। ତାଙ୍କ କାର୍ଯ୍ୟକାଳ ବର୍ତ୍ତମାନ ପର୍ଯ୍ୟନ୍ତଥିବା ସମସ୍ତ ପ୍ରଧାନ ବିଚାରପତିଙ୍କ ମଧ୍ୟରେ ସର୍ବାଧିକ ରହିଛି। ସେ ସାତ ବର୍ଷ ପାଇଁ ପ୍ରଧାନବିଚାରପତି ଭାବେ କାର୍ଯ୍ୟ କରିଥିଲେ। ତାଙ୍କ ପୁଅ ଡିଓ୍ବାଇ ଚନ୍ଦ୍ରଚୂଡ଼ ମଧ୍ୟ ଦୁଇ ବର୍ଷ ପାଇଁ ପ୍ରଧାନ ବିଚାରପତି ଭାବେ କାର୍ଯ୍ୟ କରିବେ।

ସେ ୧୦ ନଭେମ୍ବର ୨୦୨୪ ରେ ଅବସର ନେବେ। ଭାରତର ଆଗାମୀ ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଲିତଙ୍କ କାର୍ଯ୍ୟକାଳ ମଧ୍ୟରେ ସୁପ୍ରିମକୋର୍ଟର ଦୁଇଜଣ ଜଷ୍ଟିସ ଅବସର ଗ୍ରହଣ କରିବେ। ସେମାନଙ୍କ ମଧ୍ୟରେ ଜଷ୍ଟିସ ଇନ୍ଦିରା ବାନାର୍ଜୀ ୨୩ ସେପ୍ଟେମ୍ବରରେ ଅବସର ନେବେ ଏବଂ ଜଷ୍ଟିସ ହେମନ୍ତ ଗୁପ୍ତା ୧୧ ଅକ୍ଟୋବର ୨୦୨୨ ରେ ଅବସର ନେବେ।

Share