ବୋମା ଖାଇ ୨ ଗୋରୁ ଗୁରୁତର, ତଦନ୍ତ ନିର୍ଦ୍ଦେଶ

ଖମାର,୨୪।୧୦(ରଜନୀକାନ୍ତ ମହାରଣା): ଅନୁଗୋଳ ଜିଲା ଖମାର ଥାନା ଅନ୍ତର୍ଗତ ରଜଡ଼ଙ୍ଗ ଗାଁ ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ପାଇଁ ଜଙ୍ଗଲରେ ବିଛାଯାଇଥିବା ବୋମା ଖାଇ ୨ଟି ଗୋରୁ ଶୁକ୍ରବାର ଗୁରୁତର ହୋଇଛନ୍ତି।

ସୂଚନା ଅନୁଯାୟୀ, ଗାଁର ପ୍ରମୋଦ ସାହୁଙ୍କ ଗୋରୁ ଜଙ୍ଗଲକୁ ଚରିବାକୁ ଯାଇଥିବାବେଳେ ବିସ୍ଫୋରକ ସାମଗ୍ରୀ ଖାଇଦେଇଥିଲେ। ଫଳରେ ଗୋରୁଙ୍କ ପାଟି ଓ ମୁହଁ ଗୁରୁତର କ୍ଷତିଗ୍ରସ୍ତ ହୋଇଥିଲା। ଚିକିତ୍ସା ପାଇଁ ପ୍ରାଣୀଧନ ଚିକିତ୍ସାଳୟକୁ ନିଆଯାଇଥିଲେ ହେଁ ଚିକିତ୍ସା ସମ୍ଭବ ହୋଇ ନ ଥିଲା। ଶନିବାର ସେହି ଗାଁର ସନାତନ ନାଏକଙ୍କ ଏକ ବଳଦର ମଧ୍ୟ ସମାନ ଅବସ୍ଥା ହୋଇଥିଲା।

ଜଙ୍ଗଲକୁ ସ୍ଥାନୀୟ ଲୋକେ ପତ୍ର, ଶୁଖିଲା କାଠ ଓ ଅନ୍ୟାନ୍ୟ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବାକୁ ଯାଉଥିବାବେଳେ ଗୋରୁମାନେ ମଧ୍ୟ ନିୟମିତ ଚରିବାକୁ ଯାଆନ୍ତି। ଫଳରେ ଏଭଳି ଘଟଣାକୁ ନେଇ ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି। ପାଲଲହଡ଼ା ପ୍ରାଣୀଧନ ଚିକିତ୍ସା ଅଧିକାରୀ କହିଛନ୍ତି, ବିସ୍ଫୋରକ ସାମଗ୍ରୀ ଖାଇବା ଯୋଗୁ ଏଭଳି ଅବସ୍ଥା ହୋଇଛି, ଏହା ଚିକିତ୍ସା କରିବା ସମ୍ଭବ ନୁହେଁ। ଅନ୍ୟପକ୍ଷରେ, ପାଲଲହଡ଼ା ଏସ୍‌ଡିିପିଓ କୈଳାସ ସେଠୀ ଘଟଣାର ତଦନ୍ତ ପାଇଁ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି।

Share