ସୋମାଲିଆରେ ୨ କାର ବୋମା ବିସ୍ଫୋରଣ, ବହୁ ଲୋକଙ୍କ ମୃତ୍ୟୁ ଆଶଙ୍କା…

ମୋଗାଡିଶୁ,୨୯।୧୦ : ସୋମାଲିଆ ରାଜଧାନୀ ମୋଗାଡିଶୁର ଏକ ସରକାରୀ କାର୍ଯ୍ୟାଳୟ ନିକଟରେ ଶନିବାର ୨ଟି ଶକ୍ତିଶାଳୀ ବୋମା ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଘଟିଥିବା ସ୍ଥାନରେ ବହୁ ଲୋକ ଜମା ହୋଇଥିଲେ। ତେଣୁ ମୃତାହତଙ୍କ ସଂଖ୍ୟା ଅଧିକ ହେବାର ଆଶଙ୍କା ରହିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ପୋଲିସ ପ୍ରବକ୍ତା ସାଦିକ୍‌ ଡୋଦିଶେଙ୍କ ଅନୁସାରେ ଦୁଇଟି କାରରେ ଲଗାଯାଇଥିବା ବୋମା ବିସ୍ଫୋରଣ ଘଟିଛି।

ଘଟଣାସ୍ଥଳରେ ବହୁ ମୃତ ଦେହ ପଡ଼ିଛି। ସମସ୍ତ ମୃତଦେହ ସାଧାରଣ ଲୋକଙ୍କର ବୋଲି ସେ କହିଛନ୍ତି। ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି। ଦ୍ୱିତୀୟ ବୋମା ବିସ୍ଫୋରଣ ଏକ ରେଷ୍ଟୁରାଣ୍ଟ ବାହାରେ ଘଟିଛି।

ଆମ୍ବୁଲାନ୍ସ ସେବା ନିର୍ଦ୍ଦେଶକ କହିଛନ୍ତି ଯେ ବହୁ ଆହତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହା ସହିତ ବିସ୍ଫୋରଣ ସ୍ଥଳରୁ ମୃତଦେହଗୁଡ଼ିକୁ ଉଦ୍ଧାର କରାଯାଇଛି। ବିସ୍ଫୋରଣ ନେଇ କୌଣସି ସଂଗଠନ ନିଜକୁ ଦାୟୀ କରି ନାହାନ୍ତି ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

Share