ଭୁବନେଶ୍ୱର,୨୦।୮(ବ୍ୟୁରୋ)-କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଗୁରୁବାର ‘ସ୍ବଚ୍ଛ ସର୍ବେକ୍ଷଣ ୨୦୨୦’ ଫଳାଫଳ ପ୍ରକାଶ ପାଇଛି। ନୂଆଦିଲ୍ଲୀ ଠାରେ ଆୟୋଜିତ ସ୍ବଚ୍ଛ ମହୋତ୍ସବ ଅବସରରେ କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ପୁରୀ ଏହି ଫଳାଫଳ ଘୋଷଣା କରିଛନ୍ତି। ଜାତୀୟ ସ୍ବଚ୍ଛତା ସର୍ଭେ ‘ସ୍ବଚ୍ଛ ସର୍ବେକ୍ଷଣ ୨୦୨୦’ର ପଞ୍ଚମ ପାଳିରେ ଇନ୍ଦୋରକୁ ଭାରତର ସବୁଠାରୁ ସ୍ବଚ୍ଛ ସହରଭାବେ ଚିହ୍ନଟ କରାଯାଇଛି। ଚତୁର୍ଥ ଥର ଲାଗି ଇନ୍ଦୋର ଏହି ଗୌରବ ହାସଲ କରିପାରିଛି। ସେହିଭଳି ଏହି ସର୍ବେକ୍ଷଣରେ ଓଡିଶାକୁ ୨ଟି ବର୍ଗରେ ଶ୍ରେଷ୍ଠ ପୁରସ୍କାର ମିଳିଛି। ସେହିପରି ବ୍ରହ୍ମପୁରକୁ ମଧ୍ୟମ ବର୍ଗରେ ଅଭିନବ ଯୋଜନା ନିମନ୍ତେ ତଥା ଶ୍ରେଷ୍ଠ ସହର ଭାବେ ପୁରସ୍କୃତ କରାଯାଇଛି। ଏଥିସହିତ ଇଷ୍ଟ ଜୋନରେ ୫୦ ହଜାରରୁ ୧ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସହର ତାଲିକାରେ ଓଡିଶାର ୬ ସହର ରହିଛି। ସେଗୁଡିକ ହେଲା ପାରାଦ୍ୱୀପ, ବଡବିଲ, ଢେଙ୍କାନାଳ, ରାଜଗାଙ୍ଗପୁର, ବ୍ୟାସନଗର ଓ ଚୌଦ୍ୱାର। ଏହି ସଫଳତା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସହର ଓ ନଗର ଉନ୍ନୟନ ବିଭାଗ ଏବଂ ବ୍ରହ୍ମପୁର ମହାନଗର ନିଗମକୁ ଶୁଭେଚ୍ଛା ଜଣାଇଛନ୍ତି।


