‘ଅନ୍ତର୍ଧ୍ୱନି’କୁ ୨ ପୁରସ୍କାର

ଭୁବନେଶ୍ୱର,୨୮।୧୨(ବ୍ୟୁରୋ): ବାଂଲାଦେଶର ଢାକାଠାରେ ଆୟୋଜିତ ସିନେ ମେକିଙ୍ଗ୍‌ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ‘ଅନ୍ତର୍ଧ୍ୱନି’କୁ ୨ଟି ପୁରସ୍କାର ମିଳିଛି। ଚଳଚ୍ଚିତ୍ରର ନାୟିକା ସ୍ବପ୍ନା ପତି ଶ୍ରେଷ୍ଠ ଅନ୍ତର୍ଜାତୀୟ ଅଭିନେତ୍ରୀ ଭାବେ ସମ୍ମାନିତ ହୋଇଥିବାବେଳେ ନିର୍ଦ୍ଦେଶକ ଏ.କେ. ବୀରଙ୍କୁ ମିଳିଛି ଶ୍ରେଷ୍ଠ ଏସୀୟ ନିର୍ଦ୍ଦେଶକ ପୁରସ୍କାର। ମହୋତ୍ସବରେ ୭୦ ଦେଶରୁ ପ୍ରାୟ ୪୦୦ ଚଳଚ୍ଚିତ୍ରକୁ ସାମିଲ କରାଯାଇଥିଲା। ଏଥିମଧ୍ୟରୁ ବାଂଲାଦେଶର ୨୮ ଚଳଚ୍ଚିତ୍ର ସମେତ ୫୪ ଦେଶର ମୋଟ ୧୫୦ ଚଳଚ୍ଚିତ୍ର ପ୍ରତିଯୋଗିତା ପର୍ଯ୍ୟାୟକୁ ମନୋନୀତ ହୋଇଥିଲା।
‘ଅନ୍ତଧର୍‌ବନି’ର ପ୍ରଯୋଜନା କରିଛନ୍ତି ରାଜେଶ ମହାନ୍ତି। ୨୪-ଏଫ୍‌ପିଏସ୍‌ ଏଣ୍ଟରଟେନ୍‌ମେଣ୍ଟ ନିବେଦିତ ଏହି ଚଳଚ୍ଚିତ୍ରର ୯୫ ପ୍ରତିଶତ ଜଙ୍ଗଲରେ ଶୁଟିଂ ହୋଇଛି। ଜଙ୍ଗଲକୁ ଏଥିରେ ଏକ ଚରିତ୍ର ଭାବେ ଚିତ୍ରଣ କରାଯାଇଛି। ଚଳଚ୍ଚିତ୍ରର ପ୍ରମୁଖ ଭୂମିକାରେ ଅଛନ୍ତି ଗୌରବ ପାଶୱାଲ, ସ୍ବପ୍ନା ପତି ଓ ତଲୱିନ୍ଦର ସିଂହ। ସାଉଣ୍ଡରେ ନୀହାର ରଞ୍ଜନ ସାମଲ ଥିବାବେଳେ ଅସୀମ ସିହ୍ନା ଏହାର ସମ୍ପାଦନା କରିଛନ୍ତି। ଚଳଚ୍ଚିତ୍ରଟି ସମ୍ପୂର୍ଣ୍ଣ ପ୍ରାକୃତିକ ଆଲୋକରେ ନିର୍ମିତ ହୋଇଛି। ଜଙ୍ଗଲ ଓ ଏହାର ପ୍ରାକୃତିକ ବାତାବରଣ କାହାଣୀର ମୁଖ୍ୟ ଆଧାର। କାହାଣୀଟି ଶାନ୍ତନୁ ଓ ଶାଲିନୀ ନାମକ ଦୁଇ ବନ୍ଧୁଙ୍କ ଉପରେ କେନ୍ଦ୍ରିତ ହୋଇଛି।

ପୂର୍ବରୁ କାନ୍ସ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇ ‘ଅନ୍ତର୍ଧ୍ୱନି’ ଉଚ୍ଚ ପ୍ରଶଂସିତ ହୋଇଥିଲା। ଏହାବ୍ୟତୀତ ୱିଣ୍ଡ୍‌ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ, ଅପ୍‌ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ, ଗୌହାଟୀ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବା ସହ ବିଭିନ୍ନ ବିଭାଗରେ ଏକାଧିକ ପୁରସ୍କାର ଲାଭ କରିଛି। ଖୁବ୍‌ଶୀଘ୍ର ଏହା ସର୍ବଭାରତୀୟ ସ୍ତରରେ ମୁକ୍ତିଲାଭ କରିବା ସହିତ ବର୍ଲିନ୍‌ ଓ ଲୋକାର୍ଣ୍ଣୋ ଚଳଚ୍ଚିତ୍ର ମହୋତ୍ସବରେ ମଧ୍ୟ ପ୍ରଦର୍ଶିତ ହେବାର ଯୋଜନା ରହିଛି।

Share