ନକଲି ନଡ଼ିଆତେଲ ତିଆରି ବେଳେ ଚଢ଼ାଉ, ୨ ଗିରଫ

ରାଉରକେଲା ଅଫିସ,୧୨ା୫: ରାଉରକେଲା ପ୍ଲାଣ୍ଟସାଇଟ୍‌ ଥାନା ଅଧୀନ ଏ. ବି. ଲେନ୍‌ ଇସଲାମ ନଗରରେ ବିଭିନ୍ନ ଦାମୀ କମ୍ପାନୀ ଲେଭଲ ବ୍ୟବହାର କରି ନକଲି ନଡିଆ ତେଲ ଓ ବଜାଜ ଏଲମଣ୍ଡ ଡ୍ରପ୍ସ ତିଆରି ବେଳେ ପୋଲିସ ଚଢାଉ କରି ୨ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ପ୍ଲାଣ୍ଟସାଇଡ ଥାନା ଏ. ବି. ଲେନ୍‌ ଇସଲାମ ନଗରର ଏମ୍‌ଡି ଜାକିର ହୁସେନ (୪୩) ଓ ସୟଦ ଅଖତାର(୪୧)। ଚଢାଉ ବେଳେ ୧୫ଶହ ଲିଟର ନକଲି ତେଲ, ୧୦୫୪ ଖାଲି ବୋତଲ ଓ ୫୯୨ ବଜାଜ ଆଲମଣ୍ଡ ତେଲ ବୋତଲ, ଦାମୀ କମ୍ପାନୀର ନକଲି ଲେଭଲ, ୧୫ ହଜାରରୁ ଊର୍ଦ୍ଧ୍ୱ ଠିପି ଏବଂ ପ୍ୟାକିଂ ମେଶିନ ଆଦି ଜବତ କରାଯାଇଛି। ଏ ନେଇ ପୋଲିସ ଏକ ମାମଲା (ନଂ.୧୬୨/୨୩) ରୁଜୁ କରି ଗୁରୁବାର ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି।
ରାଉରକେଲା ଏଏସ୍‌ପି ବିକ୍ରମ କେଶରୀ ଭୋଇ ପ୍ଲାଣ୍ଟସାଇଟ ଥାନା ପରିସରରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଥିଲେ, ଏ. ବି. ଲେନ୍‌ ଇସଲାମ ନଗରର ଜାକିର ଗତ ୪ବର୍ଷ ହେଲା ନିଜ ଘରେ ବିଭିନ୍ନ ଦାମୀ କମ୍ପାନୀର ଲେଭଲ ବ୍ୟବହାର କରି ନକଲି ତେଲ ତିଆରି କରୁଥିଲେ ଏବଂ ସେଗୁଡିକୁ ଫେରିବାଲାଙ୍କ ମାଧ୍ୟମରେ ବିକ୍ରି କରୁଥିଲେ। ଏହି କାରବାରରେ ଅନ୍ୟ ଅଭିଯୁକ୍ତ ସୟଦ ତାଙ୍କୁ ସହଯୋଗ କରୁଥିଲେ। ସେମାନେ ରାୟପୁରରୁ କେମିକାଲ ମିଶ୍ରିତ ତେଲ, କଲିକତାରୁ ନିହାର ଓ ବଜାଜ ଆଲମଣ୍ଡ ନଡିଆତେଲ ବୋତଲ, ଠିପି ଏବଂ ବିଭିନ୍ନ କମ୍ପାନୀର ଲେଭଲ ଆଣୁଥିଲେ। ଏ ସମ୍ପର୍କରେ ପ୍ଲାଣ୍ଟସାଇଟ୍‌ ପୋଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା। ବୁଧବାର ସନ୍ଧ୍ୟାରେ ଏକ ପୋଲିସ ଟିମ୍‌ ଜାକିରଙ୍କ ଘରେ ଚଢାଉ କରି ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରିବା ସହ ବିଭିନ୍ନ ସାମଗ୍ରୀ ଜବତ କରିଥିଲା। ତେବେ ଘଟଣାରେ ଆଉ କାହାର ସମ୍ପୃକ୍ତି ଅଛି ସେ ନେଇ ତଦନ୍ତ ଚାଲିଥିବା ଅତିରିକ୍ତ ଏସ୍‌ପି ଭୋଇ କହିଛନ୍ତି।