କୋରାପୁଟ,୨୩ା୧(ଅମିତାଭ ବେହେରା):କୋରାପୁଟ ଟାଉନ ଥାନାରେ ଏତଲା ଦେବାର ୨୪ ଘଣ୍ଟା ମଧ୍ୟରେ ଟାଉନ ପୋଲିସ ଚୋରି ମାମଲାର ୨ ଅଭିଯୁକ୍ତଙ୍କୁ ଶୁକ୍ରବାର ଗିରଫ କରି କୋଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ଓଡ଼ିଆଗୁଡ଼ା ଗ୍ରାମର କରଣ କୁଲଦୀପ ଓ ଅଭିଷେକ ଖରା। ଏ ନେଇ ଟାଉନ ଥାନା ପରିସରରେ କୋରାପୁଟ ଏସ୍ଡିପିଓ ସଞ୍ଜୟ କୁମାର ମଣ୍ଡଳ ଖବରଦାତା ସମ୍ମିଳନୀ କରି ସୂଚନା ଦେଇଛନ୍ତି। ସୂଚନାନୁଯାୟୀ, କୋରାପୁଟ ଅମଲା କୁଟୀର ରୋଡର ଡି.ରାମ କ୍ରିଷ୍ଣା ୨୨ ତାରିଖରେ ଷ୍ଟେଶନରୁ ଫେରୁଥିବା ବେଳେ ସରକାରୀ ମହିଳା କଲେଜ ନିକଟରେ ୨ ଦୁର୍ବୃତ୍ତ ବାଇକ୍ରେ ଆସି ତାଙ୍କୁ ଅଟକାଇ ଟଙ୍କା ଦେବାକୁ କହିଥିଲେ। ଟଙ୍କା ନାହିଁ କହିବାରୁ ସେମାନେ ରାମକ୍ରିଷ୍ଣାଙ୍କୁ ଆକ୍ରମଣ କରି ମୋବାଇଲ ଛଡାଇ ନେଇଯାଇଥିଲେ। ଏ ନେଇ ରାମ ଟାଉନ ଥାନାରେ ଅଭିଯୋଗ କରିଥିଲେ। ଟାଉନ ଥାନାଧିକାରୀ ସତ୍ୟାନନ୍ଦ ପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍ ତଦନ୍ତ ଅଧିକାରୀ ସବଇନ୍ସପେକ୍ଟର ଉମେଶ କୁମାର ଧାରୁଆ ତଦନ୍ତ କରିଥିଲେ। ପୋଲିସ ଅଭିଯୁକ୍ତଙ୍କଠାରୁ ମୋବାଇଲ ଓ ବାଇକ୍ ଜବତ କରିଛି। ୨ ଅଭିଯୁକ୍ତଙ୍କ ନାମରେ ଥାନାରେ ଅନେକ ମାମଲା ରହିଛି। ଟାଉନ ଥାନାରେ ନଂ.୨୬/୨୬ରେ ଏକ ମାମଲା ରୁଜୁ କରାଯାଇଛି।

