୨ ଏଏନ୍‌ଏମ୍‌ଙ୍କ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର, ୧୬।୧୨(ବ୍ୟୁରୋ): ଭୁବନେଶ୍ୱର ଲୋୟର ପିଏମ୍‌ଜି ଧାରଣା ସ୍ଥଳରେ ଆମରଣ ଅନଶନରେ ବସିଥିବା ବେଳେ ମଙ୍ଗଳବାର ବାଲେଶ୍ୱର ଓ ଜଗତ୍‌ସିଂହପୁରର ୨ ସିସିଏଚ୍‌ ନିଯୁକ୍ତିପ୍ରାପ୍ତ ଏଏନ୍‌ଏମ୍‌ ସ୍ବାସ୍ଥ୍ୟ କର୍ମୀ ଆତ୍ମାହୁତି ଉଦ୍ୟମ କରିଛନ୍ତି। ଦେହରେ କିରୋସିନ ଢାଳି ନିଆଁ ଲଗାଇବାକୁ ଯାଉଥିବାବେଳେ ଧାରଣାରତ ଅନ୍ୟ ଏଏନ୍‌ଏମ୍‌ ସ୍ବାସ୍ଥ୍ୟକର୍ମୀମାନେ ସେମାନଙ୍କୁ ଉଦ୍ଧାର କରିଥିଲେ। ଏହାପରେ ସେଠାରେ ଉପସ୍ଥିତ ଥିବା ପୋଲିସ ଉଭୟଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା। ସରକାର ସେମାନଙ୍କ ଦାବିପ୍ରତି କର୍ଣ୍ଣପାତ କରୁ ନ ଥିବାରୁ ଆତ୍ମାହୁତି ଭଳି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିବା ସେମାନେ କ୍ଷୋଭର ସହ କହିଛନ୍ତି।
ଛଟେଇ ପ୍ରତିବାଦରେ ତାଙ୍କ ସହ ଶତାଧିକ ଏଏନ୍‌ଏମ୍‌ ସ୍ବାସ୍ଥ୍ୟକର୍ମୀ ୧୯ଦିନ ହେବ ଧାରଣାରେ ବସିଛନ୍ତି। ଗତ ୭ଦିନ ହେବ ଆମରଣ ଅନଶନରେ ରହିଛନ୍ତି। ଇତି ମଧ୍ୟରେ ୨୩ଜଣ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇସାରିଲେଣି। ମହାମାରୀ କରୋନା ସହିତ ମହାଲଢେଇ ପାଇଁ ଏମାନଙ୍କୁ ଯୋଦ୍ଧା ସଜେଇ ଠିକା ନିଯୁକ୍ତି ଦିଆଯାଇଥିଲା। କୋଭିଡ୍‌ କେୟାର ହୋମ୍‌ (ସିସିଏଚ୍‌)ରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଓ ଦେଖାଶୁଣା ପାଇଁ ରାଜ୍ୟ ସରକାର ଏଏନ୍‌ଏମ୍‌ ଓ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ୯୦ ଦିନିଆ ଚୁକ୍ତିଭିତ୍ତିକ ନିଯୁକ୍ତି ଦେଇଥିଲେ। କିନ୍ତୁ ଏମାନଙ୍କୁ ଛଟେଇ କରି ଦିଆଯାଇଥିବାରୁ ସ୍ଥାୟୀ ନିଯୁକ୍ତି ଓ ଦରମା ଦାବିରେ ଏହି ଏଏନ୍‌ଏମ୍‌ କର୍ମୀ ଏବେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏତେଦିନ ଧରି ରାଜରାସ୍ତାରେ ବସିଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ କେହି ଆଲୋଚନା କରିବା ପାଇଁ ଯାଇ ନାହାନ୍ତି। ମଙ୍ଗଳବାର ପୂର୍ବତନ ଏମ୍‌ପି ପ୍ରଦୀପ ମାଝି ଧାରଣାସ୍ଥଳରେ ପହଞ୍ଚତ୍ ସେମାନଙ୍କ ସହ ବହୁ ସମୟ ଧରି ଆଲୋଚନା କରିଥିଲେ।

 

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପ୍ରଦୀପ୍ତ ନାୟକ

ସ୍ବାସ୍ଥ୍ୟକର୍ମୀଙ୍କ ଆନ୍ଦୋଳନକୁ ନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ, କରୋନା ମହାମାରୀବେଳେ ଯେଉଁ ନର୍ସିଂ ସ୍ବାସ୍ଥ୍ୟକର୍ମୀମାନେ ନିଜ ଜୀବନକୁ ବାଜି ଲଗାଇ କରୋନା ରୋଗୀଙ୍କ ସେବା କରୁଥିଲେ, ସେମାନେ ଏବେ ରାଜରାସ୍ତାରେ ବସିଛନ୍ତି। ସରକାର ସେମାନଙ୍କ ଦାବି ଶୁଣୁ ନାହାନ୍ତି। ଏବେ ବି କରୋନା ମହାମାରୀରୁ ବିଶ୍ୱ ମୁକ୍ତ ହୋଇନାହିଁ। ଏ ପରିସ୍ଥିତିରେ ରାଜରାସ୍ତାରେ ସ୍ବାସ୍ଥ୍ୟକର୍ମୀମାନେ ବସିବା ଚିନ୍ତାଜନକ ବୋଲି ସେ ଉଲ୍ଲେଖ କରିଛନ୍ତି। ସେହିପରି ଆଗକୁ ଲୋକଙ୍କୁ ଟିକା ଦିଆଯିବ। ସେତେବେଳେ ଏହି ସ୍ବାସ୍ଥ୍ୟକର୍ମୀମାନେ କାମରେ ଲାଗିବେ। ସରକାରୀ ହସ୍ପିଟାଲଗୁଡ଼ିକରେ ପ୍ରାୟ ଅଧା ନର୍ସିଂ ପଦବୀ ଖାଲି ପଡ଼ିଛି। ସରକାର ତୁରନ୍ତ ସେହି ପଦବୀକୁ ପୂରଣ କରନ୍ତୁ। ଏକ୍ଷେତ୍ରର କରୋନା ମୁକାବିଲାରେ ଯୋଦ୍ଧାହୋଇ ଓଡ଼ିଶାବାସୀଙ୍କ ଜୀବନ ରକ୍ଷା କରିଥିବା ଏହି ସ୍ବାସ୍ଥ୍ୟକର୍ମୀଙ୍କୁ ଅଗ୍ରାଧିକାର ଦିଆଯାଉ। ୧୦ବର୍ଷ ହେଲାଣି ଏଏନ୍‌ଏମ୍‌ ପଦବୀରେ ନୂଆ ନିଯୁକ୍ତି ହୋଇନାହିଁ। ସେଥିପାଇଁ ସର୍ବାଧିକ ବୟସ ସୀମାକୁ ୩୨ ବଦଳରେ ୪୨ ବର୍ଷ କରାଯାଉ। ଇଣ୍ଡିଆନ ପବ୍ଲିକ ହେଲ୍‌ଥ ଷ୍ଟାଣ୍ଡାର୍ଡ ୨୦୧୨ ଓ ଜାତୀୟ ସ୍ବାସ୍ଥ୍ୟ ମିଶନ ୨୦୧୩ ଅନୁଯାୟୀ ଆବଶ୍ୟକ ମୁତାବକ ସ୍ବାସ୍ଥ୍ୟକର୍ମୀ ଓ ନର୍ସିଂ ପଦବୀ ପୂରଣ କରାଯାଉ ବୋଲି ପ୍ରଦୀପ୍ତ ନାୟକ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।