ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଜଣେ ରୋଗୀଙ୍କ ପାଇଁ ପ୍ରତିଟି ମୁହୂର୍ତ୍ତ ମୂଲ୍ୟବାନ ହୋଇଥିବା ବେଳେ, ପୋଲିସ କଟକଣା ଯୋଗୁ ଜରୁରୀକାଳୀନ ସେବା ବାଧାପ୍ରାପ୍ତ ହେବାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଶନିବାର ରାତି ପ୍ରାୟ ୮:୪୦ ସମୟରେ ମୁଖ୍ୟମନ୍ତ୍ରୀ ସରକାରୀ ଇଞ୍ଜିନିୟରିଂ କଲେଜ୍‌ରୁ ନିଜର କାର୍ଯ୍ୟକ୍ରମ ସାରି ଫେରୁଥିଲେ। ଏହି ସମୟରେ ଗାନ୍ଧୀ ଛକ ନିକଟରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ ଯିବାକୁ ଥିବାରୁ ପୋଲିସ ପକ୍ଷରୁ ସାଧାରଣ ଯାତାୟାତ ବନ୍ଦ କରି ଦିଆଯାଇଥିଲା।
ଜିଲାପାଳଙ୍କ କାର୍ଯ୍ୟାଳୟ ଛକ ପଟୁ ଏକ ଆମ୍ବୁଲାନ୍ସ ବଡ଼ବିଲ ଅଭିମୁଖେ ଯାଉଥିବା ବେଳେ ଗାନ୍ଧୀ ଛକରେ ପୋଲିସ ଜାମ୍‌ରେ ଫସିଯାଇଥିଲା। ଆମ୍ବୁଲାନ୍ସଟି କ୍ରମାଗତ ଭାବେ ଲାଇଟ ଜଳାଇ ସାଇରନ ବଜାଉଥିଲେ ମଧ୍ୟ ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀମାନେ ଗାଡ଼ିଟିକୁ ଛାଡ଼ି ନ ଥିଲେ। ସେହିପରି ଅନ୍ୟ ଏକ ଆମ୍ବୁଲାନ୍ସ ଧରଣୀଧର ଛକ ପଟୁ ଗାନ୍ଧୀ ଛକ ଅଭିମୁଖେ ଆସୁଥିବା ବେଳେ ତାହା ମଧ୍ୟ କିଛି ସମୟ ପାଇଁ ଅଟକି ରହିଥିଲା।
ମୁଖ୍ୟମନ୍ତ୍ରୀଙ୍କ କାରକେଡ ଅତିକ୍ରମ କରିବା ପରେ ହିଁ ପୋଲିସ ପକ୍ଷରୁ ରାସ୍ତା ସଫା କରାଯାଇ ଆମ୍ବୁଲାନ୍ସଗୁଡ଼ିକୁ ଯିବାକୁ ଅନୁମତି ଦିଆଯାଇଥିଲା। ବିଭିନ୍ନ ସମୟରେ ଭିଭିଆଇପି (VVIP) ସଂସ୍କୃତିକୁ ନେଇ ସମାଲୋଚନା ହେଉଥିବା ବେଳେ, ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଏଭଳି ସ୍ପର୍ଶକାତର ପରିସ୍ଥିତିକୁ ପୋଲିସ କିଭଳି ପରିଚାଳନା କରୁଛି, ତାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ଘଟଣା ସମ୍ପର୍କରେ ଏପର୍ଯ୍ୟନ୍ତ ଜିଲା ପ୍ରଶାସନ କିମ୍ବା ପୋଲିସ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ମିଳିପାରି ନାହିଁ।
Dharitri – Odisha’s No.1 Odia Daily

Share